ପଶ୍ଚିମବଙ୍ଗରେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ

ପଶ୍ଚିମବଙ୍ଗରେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ

ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ହୋଇଥିବା ଗଣ୍ଡଗୋଳ ପରେ ସ୍ଥିତି ଉତ୍ତେଜନାପୁର୍ଣ୍ଣ ରହିଛି । ହିଂସା ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷାବାହିନୀ ମୁତୟନ କରାଯାଇଛି । ଏହି ଘଟଣାର ଗମ୍ଭୀରତାକୁ ଦେଖି ପ୍ରଶାସନ ମାର୍ଚ୍ଚ ୧୭ ଅର୍ଥାତ ସୋମବାର ପର୍ଯ୍ୟନ୍ତ ବାହାରର ସ୍ଥାନ ଗୁଡିକରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି । ତେବେ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ମାର୍ଚ୍ଚ ୧୪ ରୁ ନିର୍ଦ୍ଦେଶ ଦିଆଯାଇଥିଲା । ସୈନ୍ଥିଆ ସହରରେ ହୋଲି ପାଳନ ସମୟରେ ଏହି ହିଂସା ସ୍ଥିତି ହୋଇଥିଲା । କୌଣସି ପ୍ରକାରର ଗୁଜବ ନ ବ୍ୟାପିବା ପାଇଁ ପ୍ରଶାସନ ସୈନ୍ଥିଆ ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଟେଲିକମ୍ୟୁନିକେସନ୍ ଆଇନ ୨୦୨୩ ଅନୁଯାୟୀ, କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଦ୍ୱାରା ପଠାଯାଇଥିବା କିମ୍ବା ଗ୍ରହଣ କରାଯାଇଥିବା ବାର୍ତ୍ତା, ଯାହା ଏକ ନିର୍ଦ୍ଦିଷ୍ଟ ବିଷୟ କିମ୍ବା ଶ୍ରେଣୀ ସହିତ ଜଡିତ, ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧ ରୋକିବା ପାଇଁ ଅସ୍ଥାୟୀ ଭାବରେ ପ୍ରସାରଣ କରାଯିବ ନାହିଁ । ଆଦେଶ ଅନୁସାରେ ଯେଉଁ ପଞ୍ଚାୟତଗୁଡ଼ିକରେ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଗୁଡ଼ିକ ମଧ୍ୟରେ ସୈନ୍ଥିଆ, ହାଟୋରା, ମଠପଲାସା, ହରିସରା, ଦରିଆପୁର ଏବଂ ଫୁଲୁର ସାମିଲ ହୋଇଛି । ଏହା ୧୪ ମାର୍ଚ୍ଚରୁ କାର୍ଯ୍ୟକାରୀ ହେବ । ୧୭ ମାର୍ଚ୍ଚ ସକାଳ ୮ଟା ପର୍ଯ୍ୟନ୍ତ ବୈଧ ରହିବ । ଏହି ସମୟ ମଧ୍ୟରେ ଖବରକାଗଜ ପ୍ରକାଶନ ଏବଂ ପ୍ରସାରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ, ଯାହା ଫଳରେ ସୂଚନା ପ୍ରସାରଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ସୂଚନା ଅନୁସାରେ ବୀରଭୂମିରେ ପଥର ଫିଙ୍ଗା ଘଟଣା ପରେ, ପ୍ରଭାବିତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁସାରେ ନାନୁର ବିଧାନସଭା ନିର୍ବାଚନ ମଣ୍ଡଳୀର କିର୍ଣ୍ଣାହାର ଥାନା ଅନ୍ତର୍ଗତ ଅନାଇପୁର ଗାଁରେ ଦୋଳ ପୂର୍ଣ୍ଣିମା ଏବଂ ହୋଲିର ମହାପର୍ବ ପାଳନ ସମୟରେ ଏହି ହିଂସାତ୍ମକ ଆକ୍ରମଣ ଘଟିଥିଲା ।