ଏକ ଲକ୍ଷ ସ୍ଥାନରେ ହେବ ଯୋଗ କାର୍ଯ୍ୟକ୍ରମ

ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ରେ ‘ଯୋଗ ଅନ୍‌ପ୍ଲକଡ’ କାର୍ଯ୍ୟକ୍ରମ

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଉପଲକ୍ଷେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଯୋଗ ସଂସ୍ଥାନଗୁଡ଼ିକ ଯୋଗଦାନ କରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ସବୁଠାରୁ ପ୍ରମୁଖ ଯୋଗ ସଂସ୍ଥା କୈବଲ୍ୟ ଧାମ ଯୁବକମାନଙ୍କ ଲାଗି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛି। ‘ଯୋଗ ଫର ୟଙ୍ଗ ମାଇଣ୍ଡସ’ ହେଉଛି ଏମିତି ଏକ କ୍ୟାମ୍ପେନ ଯେଉଁଥିରେ ଅନଲାଇନ ମାଧ୍ୟମରେ କମନ ଯୋଗ ପ୍ରୋଟୋକଲ ଉପରେ ତାଲିମ ମିଳୁଛି। ସାରା ଦେଶର ବିଦ୍ୟାର୍ଥୀ ଓ ଯୁବ ନେତୃତ୍ୱଙ୍କୁ ସୁବିଧାରେ ଯୋଗ ଜ୍ଞାନ ପହଂଚାଇବା ଏହାର ମୁଖ୍ୟ ଲକ୍ଷ୍ୟ। ଅନଲାଇନ ଭର୍ଚୁଆଲ ଗ୍ଲୋବାଲ ସମିଟରେ ଯୋଗିନାର ମାଧ୍ୟମରେ ନିଜକୁ ଯୋଡିବାକୁ କୈବଲ୍ୟ ଧାମ ଲକ୍ଷ୍ୟ ରଖିଛି। ଚଳିତବର୍ଷର ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି।

୧୯୨୪ରେ ସ୍ୱାମୀ କୁବଳୟାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି କୈବଲ୍ୟଧାମ ମହର୍ଷି ପତଞ୍ଜଳି କୃତ ଯୋଗସୂତ୍ର ଅନୁସାରେ କାର୍ଯ୍ୟ ସମ୍ପାଦିତ କରିଥାଏ। ଏହି ଅନୁଷ୍ଠାନ ଯୋଗ ସହ ବିଜ୍ଞାନକୁ ସଂଯୋଗ କରି ଏକ ନୂଆ ଦିଗ ଦେଖାଇପାରିଛି। ତେବେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମରେ ଏହି ସଂସ୍ଥା ଅଂଶଗ୍ରହଣ କରୁଥିବାରୁ ଏହି ବହୁ ଗୁରୁତ୍ୱ ବହନ କରୁଛି। କୈବଲ୍ୟଧାମ ଛଡା ଦେଶର ଅନ୍ୟ ଯୋଗ ସଂସ୍ଥାନ ବି ଆଗାମୀ ଦିନରେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏକ ଲକ୍ଷ ସ୍ଥାନରେ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ ପ୍ରଦର୍ଶନ ହେବାର ରହିଛି। ଭାରତ ଓ ତାର ସହଯୋଗୀ ରାଷ୍ଟ୍ର ଭିତରେ ଯୋଗ ବନ୍ଧନ କାର୍ଯ୍ୟକ୍ରମ ମାଧ୍ୟମରେ ଭାବ ବିନିମୟ ବି ହେବାର ରହିଛି।