ପାକ୍ ଟାର୍ଗେଟ୍ରେ ଭାରତର ୩୬ ସ୍ଥାନ
ଭାରତର ପ୍ରତିଶୋଧମୂଳକ ଆକ୍ରମଣରୁ ବର୍ତ୍ତିବା ପାଇଁ ଗତରାତିରେ ପାକିସ୍ତାନ ବେସାମରିକ ବିମାନକୁ ଢାଲ ଭାବେ ବ୍ୟବହାର କରିଥିଲା ବୋଲି ଆଜି ଭାରତୀୟ ସେନା ସ୍ପଷ୍ଟ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି ଯେ ପାକିସ୍ତାନ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମୋଟ ୩୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାକୁ ଆମ ସେନା ପଣ୍ଡ କରିଦେଇଛି। ପ୍ରାଥମିକ ତଦନ୍ତରୁ ଏହି ଆକ୍ରମଣରେ ତୁର୍କୀ ଡ୍ରୋନ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି ଏବଂ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ୩୦୦ରୁ ୪୦୦ ଡ୍ରୋନ୍ ବ୍ୟବହାର କରିଛି। ଏହି ସମୟରେ ଭାରତର ପ୍ରତିଶୋଧମୂଳକ ଆକ୍ରମଣରୁ ବର୍ତ୍ତିବା ପାଇଁ ପାକିସ୍ତାନ ବେସାମରିକ ବିମାନକୁ ଢାଲ ଭାବେ ବ୍ୟବହାର କରିଥିଲା। ତେବେ ପାକିସ୍ତାନର ଭୀରୁତାପୂର୍ଣ୍ଣ କାର୍ଯ୍ୟ ସତ୍ତ୍ବେ ଭାରତ ସମସ୍ତ ଆକ୍ରମଣକୁ ବିଫଳ କରିବାରେ ସଫଳ ହୋଇଛି ବୋଲି କର୍ଣ୍ଣେଲ କୁରେଶୀ କହିଛନ୍ତି।
ପାକିସ୍ତାନ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମୋଟ ୩୬ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ସମସ୍ତ ଆକ୍ରମଣ ବିଫଳ କରାଯାଇଛି। ଭାରତୀୟ ବାୟୁସେନା ତୁରନ୍ତ ଡ୍ରୋନ୍ କାଉଣ୍ଟର ଆଟାକ୍ କରି ଏହି ଆକ୍ରମଣର ଜବାବ ଦେଇଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ସର୍ଭେଲାନ୍ସ ରାଡାର ସିଷ୍ଟମ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି କର୍ଣ୍ଣେଲ କୁରେସୀ କହିଛନ୍ତି। ପାକିସ୍ତାନର ୪ଟି ସହରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଭାରତ ଡ୍ରୋନ୍ ଆକ୍ରମଣ କରିଥିଲା ଏବଂ ଏହା ସଫଳ ରହିଥିଲା। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକ୍ ସେନାକୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି ଏବଂ ଏହାର ସାମରିକ ଅଭିଯାନକୁ ଏକ ବଡ଼ ଝଟକା ଲାଗିଛି। ବିଦେଶ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ପାକିସ୍ତାନ ସାଧାରଣ ନାଗରିକଙ୍କୁ ଢାଲ କରିଥିଲେ ମଧ୍ୟ ଭାରତୀୟ ସୁରକ୍ଷା ବାହିନୀ ଏହି ପୂରା ଅପରେସନ୍ ସମୟରେ ସଂଯମତା ଅବଲମ୍ବନ କରି ପ୍ରତିଆକ୍ରମଣକୁ ସୀମିତ ରଖିଥିଲା। ଯାହାଦ୍ୱାରା ସାଧାରଣ ନାଗରିକଙ୍କ କୌଣସି କ୍ଷତି ହୋଇନାହିଁ। ଭାରତର ଏହି ପ୍ରତିରକ୍ଷାତ୍ମକ ଓ ସମ୍ବେଦନଶୀଳ ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି। ଭାରତର କେତେକ ସହରରେ ନିଜେ ଭାରତୀୟ ସେନା ଆକ୍ରମଣ କରି ପାକିସ୍ତାନ ଉପରେ ଦୋଷ ଲଦୁଛି ବୋଲି ପାକିସ୍ତାନ ଦାବି କରିଥିବାରୁ ଏ ନେଇ ମିସ୍ରି କହିଛନ୍ତି ଯେ ପାକିସ୍ତାନ ଅତି ଲଜ୍ଜାହୀନ ଓ ହାସ୍ୟାସ୍ପଦ ଦାବି କରୁଛି।
