ଜୁଲାଇ ୧ରୁ ବଢିବ ଟ୍ରେନ ଟିକେଟ ଦାମ୍
ଦୀର୍ଘ ବର୍ଷ ପରେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ଭାରତୀୟ ରେଳ ଦୀର୍ଘବର୍ଷ ପରେ ଟ୍ରେନ ଟିକେଟ ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇଛି । ନୂଆ ଦର ଜୁଲାଇ ୧ ତାରିଖରୁ ଲାଗୁ ହେବ । ଏହାସହିତ ତତ୍କାଳୀନ ଟିକେଟ ବୁକିଂ ପାଇଁ ନୂଆ ନିୟମ ଆସିବ । ଯେଉଁଥିରେ ଆଧାର ଅନ୍ଥେଣ୍ଟିକେସନ ମଧ୍ୟ ବାଧ୍ୟତାମୂଳକ କରାଯିବ । ତେବେ ଏହି ପଦକ୍ଷେପ ସାଧାରଣ ନାଗରିକଙ୍କ ପାଇଁ ବେଶ ଫାଇଦା ଦେବ ବୋଲି ରେଳ ମନ୍ତ୍ରଣାଳୟ କହିଛି ।

ସୂଚନା ମୁତାବକ, ନନ୍-ଏସି ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ପ୍ରତିକିମି ୧ ପଇସା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏସିରେ ୨ ପଇସା ପ୍ରତି କିମି ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଦୂର ବାଟ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ ଉପରେ ଏହା ନିଶ୍ଚିତ ପ୍ରଭାବ ପକାଇବ ।ତେବେ ଏହି ପରିବର୍ତ୍ତନ ରେଳ ସେବାକୁ ଉନ୍ନତ କରିବା ପାଇଁ ଜରୁରୀ । ପ୍ରତିଦିନ କିମ୍ବା ପାଖକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ । ୫୦୦ କିମି ପର୍ଯ୍ୟନ୍ତ ଯାତ୍ରା କରୁଥିବା ଯାତ୍ରୀ କୌଣସି ପ୍ରକାରର ସମସ୍ୟା ଭୋଗିବେ ନାହିଁ । ରେଳ ନିୟମ ଲାଗୁ କରିବା ପାଇଁ ରେଳ ମନ୍ତ୍ରଣାଳୟ ସେଣ୍ଟର ଫର ରେଲୱେ ଇନଫରମେସନ ସିଷ୍ଟମ୍ସ ଏବଂ ଆରଆରସିଟିସିରେ ଜରୁରୀ ଟେକନିକରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରେଲୱେ ସମସ୍ତ ଜୋନାଲ ଡିଭିଜନକୁ ପରିବର୍ତ୍ତନ କରିବା ପାଇଁ ସୂଚନା ଦେଇଛି । ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଏବେ ଯେକୌଣସି ଟ୍ରେନରେ ୱେଟିଂ ଲିଷ୍ଟ ସଂଖ୍ୟା ଟ୍ରେନର ମୋଟ କ୍ଷମତାର ୨୫ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିବ । ଏହି ନୂତନ ନିୟମର ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ ଏବଂ ଅଧିକ ବୁକିଂ ସମସ୍ୟାକୁ ହ୍ରାସ କରିବା । ଏବେ ରେଳବାଇ ପ୍ରତ୍ୟେକ ଟ୍ରେନର ଫାଷ୍ଟ କ୍ଲାସ ଏସି, ସେକେଣ୍ଡ କ୍ଲାସ ଏସି, ଥାର୍ଡ଼ କ୍ଲାସ ଏସି, ସ୍ଲିପର ଏବଂ ଚେୟାର କାର୍ରେ ମୋଟ ସିଟ୍ର ସର୍ବାଧିକ ୨୫ ପ୍ରତିଶତ ୱେଟିଂ ଟିକେଟ ଭାବରେ ପ୍ରଦାନ କରିବ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ମହିଳାଙ୍କ ପାଇଁ ସଂରକ୍ଷିତ ସିଟ୍ ଭଳି ବିଭିନ୍ନ କୋଟାକୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଇଛି ।
