ହେଲିକପ୍ଟର ଓ ଜେଟ୍ର ଗର୍ଜନରେ କମ୍ପିଲା ବ୍ଳୁ-ଫ୍ଳାଗ ବିଚ୍
ପ୍ରଥମ ଥର ପାଇଁ ନୌସେନା ଦିବସର ସାକ୍ଷୀ ବନିଲା ଶ୍ରୀକ୍ଷେତ୍ର । ପୁରୀ ସମୁଦ୍ରକୂଳ ପାଲଟିଲା ଜନସମୁଦ୍ର । ଯୁଦ୍ଧ ଜାହାଜରୁ କ୍ଷେପଣାସ୍ତ୍ର ମାଡ଼ର ଦୃଶ୍ୟ ସହ ଆତଙ୍କୀ ମୁକାବିଲାର ଡେମୋ ଦେଖାଇଲେ ଭାରତର ଅଭୟ ଯୋଦ୍ଧା ମାର୍କୋସ କମାଣ୍ଡୋ । ଜଳ, ସ୍ଥଳ ଓ ଗଗନରେ ଦମ ଦେଖାଇଲେ ଭାରତର ନୌବୀର । ୪ଟି ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ହେଲିକପ୍ଟର, ୧୦ଟି ଯୁଦ୍ଧ ବିମାନ ଓ ଜେଟ୍ର ଗର୍ଜନରେ କମ୍ପି ଉଠିଲା ପୁରୀ ବ୍ଳୁ-ଫ୍ଳାଗ ବିଚ୍ । ଚିତାକର୍ଷକ କଳା କଳାକୌଶଳର ପ୍ରଦର୍ଶନ ଦେଖି ମୁଗ୍ଧ ହେଲେ ଦର୍ଶକ । ସମୁଦ୍ର ବାଲିରେ ଗଡ଼ିଲା ନୌସେନାର ଶକ୍ତିଶାଳି ବିଏମପି ଟ୍ୟାଙ୍କ । ଚେତକ, ସି-କିଙ୍ଗ ହେଲିକପ୍ଟର, ମିଗ୍-୨୯କେ ଭଳି ଯୁଦ୍ଧ ବିମାନ ଥିଲା ନୌସେନା ଦିବସର ମୁଖ୍ୟ ଆକର୍ଷଣ । ଆକାଶରେ ବିମାନରୁ ଅଗ୍ନିବର୍ଷା ସହ ତ୍ରିରଙ୍ଗା ଧରି ମାର୍କୋସ କମାଣ୍ଡୋଙ୍କ ପାରାଚ୍ୟୁଟ ଅବତରଣ ଥିଲା ସବୁଠୁ ନିଆରା । ଯାହାକୁ ବେଶ ଉପଭୋଗ କରିଛନ୍ତି ଦର୍ଶକ ।
ପ୍ରଥମ ଥର ପାଇଁ ନୌସେନା ଦିବସର ସାକ୍ଷୀ ବନିଲା ଶ୍ରୀକ୍ଷେତ୍ର । ପୁରୀ ସମୁଦ୍ରକୂଳ ପାଲଟିଲା ଜନସମୁଦ୍ର । ଯୁଦ୍ଧ ଜାହାଜରୁ କ୍ଷେପଣାସ୍ତ୍ର ମାଡ଼ର ଦୃଶ୍ୟ ସହ ଆତଙ୍କୀ ମୁକାବିଲାର ଡେମୋ ଦେଖାଇଲେ ଭାରତର ଅଭୟ ଯୋଦ୍ଧା ମାର୍କୋସ କମାଣ୍ଡୋ । ମନ ଜିଣିଲା ବିଟିଂ ରିଟ୍ରିଟ୍ ସେରିମନିର ପ୍ୟାରେଡ୍ କାର୍ଯ୍ୟକ୍ରମ । ପୂର୍ବରୁ ମୁମ୍ବାଇ, ବିଶାଖାପଟନମ ଭଳି ସମୁଦ୍ରରେ ନୌବୀରମାନେ ପରାକ୍ରମ ଦେଖାଉଥିବା ବେଳେ ଚଳିତ ଥର ପୁରୀରେ ଆୟୋଜିତ ହୋଇଛି ନେସେନା ଦିବସ । ମହାମହିମ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଏହାକୁ ଉଦଘାଟନ କରିଥିଲେ । ଗଜପତି ମହାରାଜାଙ୍କ ସମେତ ମନ୍ତ୍ରୀ, ବିଧାୟକ ଓ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
୧୯୭୧ ଯୁଦ୍ଧର ଅବିସ୍ମରଣୀୟ ବିଜୟକୁ ମନେ ରଖିବା ପାଇଁ ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଉଛି । ସହିଦ ନୌବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷ ପୁରୀରେ ଏହି ଦିବସ ଆୟୋଜିତ ହୋଇଛି । ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଣିଛି ଗୌରବ ।