ବାଂଲାଦେଶ ଉପରେ ନଜର, ମିଜୋରାମରେ ହେବ ଭାରତୀୟ ସେନାର ନୂଆ ଘାଟି
ପଡ଼ୋଶୀ ବାଂଲାଦେଶ ଏବେ ଜଳୁଛି । ବିଶେଷକରି ବାଂଲାଦେଶର ଛାତ୍ରନେତା ଓ ପ୍ରଖର ଭାରତ ବିରୋଧୀ ଉସମାନ ହାଦି ମୃତ୍ୟୁବରଣ କରିବା ପରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏହି ଘଟଣାପରେ ସେଠାରେ ଭାରତ ବିରୋଧୀ ମନୋଭାବ ବଢିବାରେ ଲାଗିଛି । କାରଣ ସେଠାକାର ଲୋକମାନେ ଭାବୁଛନ୍ତି ଏହି ହତ୍ୟା ପଛରେ ଭାରତ ରହିଛି । ସେଠାରେ ଥିବା ଏହି ଭାରତ ବିରୋଧୀ ମନୋଭାବର ପରିଣତି ଭୋଗୁଛନ୍ତି ସେଠାକାର ନିରୀହ ହିନ୍ଦୁ ଜନତା । ସରକାର ସେମାନଙ୍କୁ ବଞ୍ଚାଇବେ କଣ ଭାରତ ବିରୋଧୀଙ୍କ ସ୍ବରରେ ସ୍ବର ମିଳାଉଛନ୍ତି ।
ଏପରିକି ଖୋଦ ଅସ୍ଥାୟୀ ସରକାରର ମୁଖିଆ ମହମ୍ମଦ ୟୁନୁସ ଭାରତର ଉତ୍ତରପୂର୍ବାଞ୍ଚଳକୁ କାଟିଦେବାକୁ ଖୋଲାଖୋଲି ଧମକ ଦେଉଛି ।କିଛି ମାସ ପୂର୍ବେ ନିଜର ଚୀନ ଗସ୍ତ କାଳରେ ୟୁନୁସ ଭାରତର ଉତ୍ତରପୂର୍ବାଞ୍ଚଳକୁ କାଟିଦେବାକୁ ସଂକେତ ଦେଇଥିଲା । ଗତ ମାସରେ ପାକିସ୍ତାନର ଜଣେ ସେନାଧିକାରୀ ଢାକା ଗସ୍ତରେ ଆସିଥିବାବେଳେ ତାଙ୍କୁ ଏକ ବିବାଦୀୟ ମାନଚିତ୍ର ଦିଆଯାଇଥିଲା ଯେଉଁଥିରେ ଭାରତର ଅଂଚଳ ରହିଥିଲା ।
ନିକଟରେ ବାଂଲାଦେଶର ଆଉ କେତେକ ନେତା ବାରମ୍ବାର ଭାରତର ସିଲିଗୁଡ଼ି କରିଡରକୁ କାଟିଦେବାକୁ ଓ ଉତ୍ତର-ପୂର୍ବକୁ ଅଲଗା କରିଦେବାକୁ ଧମକ ଦେଇଚାଲିଛନ୍ତି । ଆଉ ଜଣେ ନେତା ଧମକ ଦେଇଛନ୍ତି ଯେ ଭାରତର ବିଚ୍ଛିନ୍ନତାବାଦୀଙ୍କୁ ବାଂଲାଦେଶରେ ଶରଣ ଦିଆଯିବ । କେବଳ ଧମକ ନୁହେଁ, ଭାରତ ବିରୋଧୀ ଉଲଫା ସଂଗଠନର ନେତା ପରେଶ ବରୁଆଙ୍କୁ ଢାକାରେ ଅବସ୍ଥାପିତ କରିବାକୁ ଚକ୍ରାନ୍ତ ଚଲିଛି । ଏସବୁ ଭାରତ ବିରୋଧୀ ଚକ୍ରାନ୍ତ ଲାଗି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସବୁପ୍ରକାରର ସହଯୋଗ କରିଚାଲିଛି ।
ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରସ୍ଥିତ ଚୋପ୍ରା, ବିହାରର କିଶନଗଞ୍ଜ ଓ ଆସାମର ବାମୁନିଠାରେ ଭାରତୀୟ ସେନା ନିଜର ସାମରିକ ଘାଟି ପ୍ରତିଷ୍ଠା କରିଛି । ଏବେ ବାଂଲାଦେଶକୁ ସଂପୂର୍ଣ୍ଣ ଅଣନିଶ୍ବାସୀ କରିବାକୁ ମିଜୋରାମରେ ଏକ ୪ର୍ଥ ସେନାଘାଟି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟରେ ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡ ଜିଓସି ଲେପ୍ଟନାଣ୍ଟ ଜେନେରାଲ ଆରସି ତିଓ୍ବାରି ମିଜୋରାମ ଗସ୍ତ କରି ଜମି ଚିହ୍ନଟ କରିଛି । ଏହି ୪ଟି ସାମରିକ ଘାଟିକୁ ଏପରି ସ୍ଥାନରେ ତିଆରି କରାଯାଉଛି ଯେପରି ନିର୍ଦ୍ଦେଶ ମିଳିବାମାତ୍ରେ ବାଂଲାଦେଶକୁ ଉପଯୁକ୍ତ ଶାସ୍ତି ଦେଇପାରିବେ ।
