ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା

ଆଜି ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ଲଢେଇ

ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା,ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। ୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ନାଗପୁରର ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ରହିଛି । ଇଂଲଣ୍ଡ ପାଇଁ ବି କର ବା ମର ଅବସ୍ଥା । ସେପଟେ ନାଗପୁର ମ୍ୟାଚରେ ଖେଳି ନଥିବା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁରା ଫିଟ୍ ରହିଛନ୍ତି । ସେ ବାରବାଟୀରେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି ବ୍ୟାଟିଂ କୋଚ୍ । ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ହେଉଥିବା ଦିନିକିଆ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା । ନିଜର ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ କିଏ ସୁଦୂର ଇଂଲଣ୍ଡରୁ ଆସିଛନ୍ତି ତ ଆଉ କିଏ ରାଜ୍ୟର ଉପାନ୍ତ ଅଞ୍ଚଳରୁ ଆସିଛନ୍ତି । ସମସ୍ତଙ୍କ ଆଶା, ଆଜି ମ୍ୟାଚ ଦମଦାର ହେବ, ଟିମ୍ ଇଣ୍ଡିଆର ନିଶ୍ଚୟ ବାଜି ମାରିବ ।

ଆଜି ଦିନ ୧୧ଟାରେ ଖୋଲିବ ଷ୍ଟାଡ଼ିୟମ ଗେଟ୍ । ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ । ସାଙ୍ଗରେ କେବଳ ମୋବାଇଲ୍ ସହ ଟିକଟ, ଚଷମା ନେଇପାରିବେ । ମ୍ୟାଚ୍ ବେଳେ ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ ୫୦ ପ୍ଲାଟୁନ୍ ଫୋର୍ସ ।ଆଜି ସକାଳ ୮ଟାରୁ ଖେଳ ସରିବା ଯାଏଁ ଏବଂ ଭିଡ଼ ଭାଙ୍ଗିବା ଯାଏଁ ରହିବ ଟ୍ରାଫିକ୍ କଟକଣା । ତଳ ବାଲିଯାତ୍ରା ପଡ଼ିଆ, ଆନନ୍ଦ ଭବନ ପଡ଼ିଆ, ଦୟାଶ୍ରମ ସାମ୍ନା ପଡ଼ିଆ, ପାସଧାରୀଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମର ୧ ଏବଂ ୧୪ ନମ୍ବର ଗେଟ୍ ନିକଟ ପଡ଼ିଆ, ବାମ୍ବୋ ଡିପୋ ପଡ଼ିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ ।