ହାଲ୍‌କୁ ୧୨୦ ତେଜସ୍ ଅର୍ଡର ଦେଲା ଭାରତ

ହାଲ୍ ପ୍ରସ୍ତୁତ କରିବ ୧୨୦ ତେଜସ୍

ଭାରତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(ହାଲ୍) ସହିତ ୧୨୦ଟି ତେଜସ୍ ଏମକେ-୨ ଲଢ଼ୁଆ ବିମାନ କିଣିବା ପାଇଁ ଏକ ମେଗା ଡିଲ୍ କରିଛି। ଏହି ବିମାନଗୁଡ଼ିକୁ ସାମିଲ କରିବା ଦ୍ୱାରା ଭାରତୀୟ ବାୟୁସେନା (ଆଇଏଏଫ)ର କ୍ଷମତା ଅଧିକ ଶକ୍ତିଶାଳୀ ହେବ। ହାଲ୍ ସ୍ପଷ୍ଟ କରିଛି ଯେ, କମ୍ପାନି ପ୍ରତିବର୍ଷ ବାୟୁସେନାକୁ ୩୦ଟି ଲଢ଼ୁଆ ବିମାନ ହସ୍ତାନ୍ତର କରିବ, ଯାହା ଦ୍ଵାରା ପୁରୁଣା ପୁରୁଣା ମିଗ୍-୨୯, ମିରେଜ-୨୦୦୦ ଏବଂ ଜାଗୁଆର ବିମାନକୁ ସମୟ ଅନୁସାରେ ବଦଳାଯାଇପାରିବ। ଆକଳନ କରାଯାଉଛି ଯେ, ଭାରତୀୟ ବାୟୁସେନାର ଚୂଡ଼ାନ୍ତ ଅର୍ଡର ୨୦୦ରୁ ଅଧିକ ହୋଇପାରେ। ଏହି ପଦକ୍ଷେପକୁ ଭାରତର ସାମରିକ ଆଧୁନିକୀକରଣ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ପ୍ରମୁଖ ସଫଳତା ବୋଲି କୁହାଯାଉଛି।

ଭାରତୀୟ ବାୟୁସେନା ପ୍ରଥମେ ହାଲ୍ ଠାରୁ ୧୨୦ଟି  ତେଜସ୍ ଏମକେ-୨ ଅର୍ଡର କରିଛି। କିନ୍ତୁ ପୁରୁଣା ବିମାନ ସଂଖ୍ୟା ୨୩୦ ପାଖାପାଖି ରହିଛି। ତେଣୁ ଚୂଡ଼ାନ୍ତ ଅର୍ଡର ୨୦୦ରୁ ଅଧିକ ହୋଇପାରେ। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ହାଲ୍ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଯୋଜନା କରୁଛି।


ତେଜସ୍ ଏମକେ-୨ ହେଉଛି ଏକ ୪.୫ ପିଢ଼ିର ମଧ୍ୟମ ଓଜନର ମଲ୍ଟି ରୋଲ୍ ଯୁଦ୍ଧ ବିମାନ। ଏହା ତେଜସ୍ ଏମକେ-୧-ଏ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଆଧୁନିକ। ଏଥିରେ ଜେନେରାଲ ଇଲେକ୍ଟ୍ରିକ୍ ଏଫ-୪୧୪ ଇଞ୍ଜିନ୍ ଲାଗିବ, ଯାହା ଏହାକୁ ଅଧିକ ଶକ୍ତିଶାଳୀ କରିବ। ଏଥିରେ ସ୍ୱଦେଶୀ ଭାବରେ ନିର୍ମିତ ଉତ୍ତମ ଏଇଏସଏ ରାଡାର ରହିବ। ଯାହା ନିରୀକ୍ଷଣ ଏବଂ ଲକ୍ଷ୍ୟଭେଦ କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ। ଏହି ବିମାନ ଭାରତର ନିଜସ୍ୱ ଦୂରଗାମୀ ଆସ୍ତ୍ର କ୍ଷେପଣାସ୍ତ୍ର ସମେତ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବ। ତେଜସ୍ ଏମକେ-୨କୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ବିଦ୍ୟମାନ ବିମାନ ଏବଂ ଭବିଷ୍ୟତର ପଞ୍ଚମ ପିଢ଼ିର ଏଏମସିଏ ବିମାନ ମଧ୍ୟରେ ଥିବା ପ୍ରଯୁକ୍ତିବିଦ୍ୟାର ଅଭାବକୁ ପୂରଣ କରିପାରିବ।


Defense.in ୱେବସାଇଟ୍‌ରେ ଥିବା ଏକ ରିପୋର୍ଟ ଅନୁଯାୟୀ, ହାଲ୍ ପୂର୍ବରୁ ଏମକେ-୧-ଏ ପାଇଁ ତିନୋଟି ଆସେମ୍ବଲି ଲାଇନ ପ୍ରସ୍ତୁତ କରିସାରିଛି। ଏହି ଲାଇନଗୁଡ଼ିକ ୨୦୨୮ ପର୍ଯ୍ୟନ୍ତ ପ୍ରତିବର୍ଷ ୩୦ଟି ବିମାନ ଉତ୍ପାଦନ କରିବ। ତେଜସ୍ ଏମକେ-୨ ପାଇଁ, ହାଲ୍ ପ୍ରତିବର୍ଷ  ୨୪ଟି ବିମାନର ପ୍ରାରମ୍ଭିକ ଉତ୍ପାଦନ ହାର ସ୍ଥିର କରିଛି। ଏହା ଅନୁଯାୟୀ, ବାୟୁସେନା ୨୦୩୬ ସୁଦ୍ଧା ୧୨୦ ଟି ବିମାନ ପାଇବ। ଯଦି ଚୂଡ଼ାନ୍ତ ଅର୍ଡର ୨୦୦ଅତିକ୍ରମ କରେ, ତେବେ ହାଲ୍  ପ୍ରତିବର୍ଷ ୩୦ ବିମାନ ଉତ୍ପାଦନ କରିବାର କ୍ଷମତା ବୃଦ୍ଧି କରିବ। ଫଳରେ ବିମାନର ବିତରଣ ସମୟ ସୀମା ମଧ୍ୟରେ ସମାପ୍ତ ହେବ।


ତେଜସ୍ ଏମକେ-୨ ପାଇଁ ଇଞ୍ଜିନ୍ ଭାରତରେ ହିଁ ତିଆରି କରାଯିବ। ଏଥିପାଇଁ ହାଲ୍ ଏବଂ ଆମେରିକୀୟ କମ୍ପାନି ଜେନେରାଲ ଇଲେକ୍ଟ୍ରିକ୍ ମଧ୍ୟରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଜିଇ ଏଫ-୪୧୪ ଇଞ୍ଜିନ୍ ଉତ୍ପାଦନ ଲାଇସେନ୍ସ ରେ ଭାରତରେ ନିର୍ମିତ ହେବ। ଏହା ଆତ୍ମନିର୍ଭର ଭାରତ ଅଭିଯାନ ଦିଗରେ ଏକ ବଡ଼ ପଦକ୍ଷେପ।