ପାକିସ୍ତାନ ଡାକ ଓ ପାର୍ସଲ ସେବା ଉପରେ ରୋକ ଲଗାଇଲା ଭାରତ
ଭାରତ ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଏହି ନିଷ୍ପତ୍ତି ଉଭୟ ବିମାନ ଓ ସ୍ଥଳପଥ ପାଇଁ ଲାଗୁ ହୋଇଛି । ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ପୋଷ୍ଟ ଏବଂ ପାର୍ସଲକୁ ବାନ କରିଛନ୍ତି । ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭୟଭୀତ ରହିଛି ପାକିସ୍ତାନ । ପୂର୍ବରୁ ଭାରତ ପାକିସ୍ତାନରୁ ସମସ୍ତ ପ୍ରକାରର ଆମଦାନୀ ଉପରେ ନିଷେଧ କରିଥିଲା । ଦେଶର ସୁରକ୍ଷା ଏବଂ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି । ଏହି ନିୟମ ପାକିସ୍ତାନରୁ ଆସୁଥିବା କିମ୍ବା ଯାଉଥିବା ସମସ୍ତ ସାମଗ୍ରୀ ପାଇଁ ଲାଗୁ ହେବ । ବାଣିଜ୍ୟ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି । ଏଥିରେ କୁହାଯାଇଛି ପାକିସ୍ତାନରୁ ଆସୁଥିବା କିମ୍ବା ପାକିସ୍ତାନକୁ ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀ କିମ୍ବା ପରିବହନ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯାଇଛି । ଏହି ନିଷେଧ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ । ଦେଶର ସୁରକ୍ଷା ଏବଂ ସାର୍ବଜନୀନ ନୀତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷେଧରୁ ମୁକ୍ତ ପାଇବା ପାଇଁ, ପ୍ରଥମେ ଭାରତ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ ।
