ପାକିସ୍ତାନରୁ ଆମଦାନୀ ରପ୍ତାନୀ ଉପରେ ଲାଗିଲା ରୋକ୍
ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଭାରତ। ପାକିସ୍ତାନରୁ ଆମଦାନୀ ରପ୍ତାନୀ ଉପରେ ଲାଗିଲା ରୋକ୍। ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ରଣନୀତିକୁ ଧ୍ୟାନରେ ରଖି, ମୋଦୀ ସରକାର ପାକିସ୍ତାନରୁ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି । ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ପହଲଗାମ୍ ଆକ୍ରମଣ ପରେ ସିନ୍ଧୁ ନଦୀ ପାଣିକୁ ବନ୍ଦ କରି ପାକିସ୍ତାନକୁ ପ୍ରଥମ ଝଟକା ଦେଇଥିଲା ଭାରତ, ପରେ ଡିଜିଟାଲ୍ ଷ୍ଟ୍ରାଇକ୍, ଆକାଶ ମାର୍ଗ ବନ୍ଦ ଆଉ ଏବେ ଆମଦାନୀ ଉପରେ ରୋକ୍ ଲଗାଇ ବଡ ଝଟକା ଦେଇଛି । ଏହି କଟକଣା ପରେ କୋଟି କୋଟି ଟଙ୍କାର କ୍ଷତି ସହିବ ପାକିସ୍ତାନ ।
ତେବେ ଭାରତ ଆମଦାନୀ ନିଷିଦ୍ଧ କରିବାର ନିଷ୍ପତ୍ତି ମାଧ୍ୟମରେ ସ୍ପଷ୍ଟ କରିଦେଇଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଚାଲିବ, ସେପର୍ଯ୍ୟନ୍ତ ପାକିସ୍ତାନକୁ କୌଣସି ସହଯୋଗ ଦିଆଯିବ ନାହିଁ, ତାହା ବାଣିଜ୍ୟ ହେଉ କି କୂଟନୈତିକ । ଏହି ନିଷ୍ପତ୍ତି ପାକିସ୍ତାନର ଅର୍ଥନୀତି ଉପରେ ବହୁତ ପ୍ରଭାବ ପକାଇବାକୁ ଯାଉଛି । ପାକିସ୍ତାନର ଅର୍ଥନୀତି ପୂର୍ବରୁ ଏକ ବଡ଼ ସଙ୍କଟରେ ଅଛି । ଭାରତରୁ ଆମଦାନୀ ଉପରେ ପ୍ରତିବନ୍ଧକ ପାକିସ୍ତାନର କିଛି ଶିଳ୍ପ ଉପରେ ସିଧାସଳଖ ପ୍ରଭାବ ପକାଇବ, ବିଶେଷକରି ଯେଉଁ ଶିଳ୍ପଗୁଡ଼ିକ ଭାରତ ଉପରେ ନିର୍ଭରଶୀଳ ଥିଲେ ।
