ରାଜ୍ୟରେ ଜାରି ରହିଛି ଲଘୁଚାପ ପ୍ରଭାବ। ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ଏବେ ସ୍ଥିତି ଗମ୍ଭୀର ହୋଇପଡିଛି। ଧୀରେଧୀରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଏହାରି ଭିତରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ହୀରାକୁଦ ଜଳଭଣ୍ଡାର। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବଢିବାରେ ଲାଗିଛି । ଆଜି ଏହି ଜଳସ୍ତର ସକାଳ ୬ଟା ସୁଦ୍ଧା ୬୧୩ ଫୁଟରେ ପହଞ୍ଚିଛି ।
ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୫୭୫ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ ହଜାର ଘନଫୁଟ ବନ୍ୟାଜଳ । ସେପଟେ ଆଉ ଦିନକ ପରେ ଅର୍ଥାତ୍ ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆଉ ହୀରାକୁଦ ଛାଡ଼ିବ ଏ ବର୍ଷର ପ୍ରଥମ ବନ୍ୟାଜଳ। ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ଏହା ସହ ସମସ୍ତ ପ୍ରସ୍ତୁତି ସରିଥିବା ଦେଖିବାକୁ ମିଳିଛି।