ଆଜିଠୁ ୧୨ଲକ୍ଷ ୭୫ ହଜାର ପର୍ଯ୍ୟନ୍ତ ଆୟରେ ପଡ଼ିବନି ଆୟକର
ଆଜିଠୁ ୧୨ଲକ୍ଷ ୭୫ ହଜାର ପର୍ଯ୍ୟନ୍ତ ଆୟରେ ପଡ଼ିବନି ଆୟକର । ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଥିବାରୁ ଲାଗୁ ହେବ ନୂଆ ଟାକ୍ସ ସ୍ଲାବ । ୨୦୨୫-୨୬ରୁ ପ୍ରଣୟନ ହେବାକୁ ଥିବା ୟୁନିଫାଏଡ ପେନସନ ସ୍କିମରେ ପ୍ରଭାବିତ ହେବେ ୨୩ଲକ୍ଷ କେନ୍ଦ୍ର କର୍ମଚାରୀ। ଏଣିକି ଫୋନ ନମ୍ବର ଅକାମୀ ଥିଲେ କାମ କରିବନି ୟୁପିଆଇ ପେମେଣ୍ଟ । ଜିଏସଟି ଓ କ୍ରେଡିଟ କାର୍ଡ ରିୱାର୍ଡ ଷ୍ଟ୍ରକଚରରେ ବି ହେବ ପରିବର୍ତ୍ତନ। ଆୟକର ଠାରୁ ଆରମ୍ଭ କରି ଜିଏସଟି, କ୍ରେଡିଟ କାର୍ଡ, ୟୁପିଆଇ, ନିୟମ ସମେତ ବ୍ୟାଙ୍କର ସର୍ବନିମ୍ନ ଜମା ରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ। ଏହା ଦ୍ବାରା ଟିକସଦାତାଙ୍କ ସମେତ ନାଗରିକମାନେ ଉପକୃତ ହେବେ।୨୦୨୪ ଅଗଷ୍ଟରେ କେନ୍ଦ୍ର ସରକାର ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିଥିଲେ। ଏହା ଲାଗୁ ହେବା ଫଳରେ ପ୍ରାୟ ୨୩ଲକ୍ଷ କେନ୍ଦ୍ର କର୍ମଚାରୀ ପ୍ରଭାବିତ ହେବେ। ୟୁପିଏସର ନିୟମ ଅନୁସାରେ ଅତିକମରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ମାସ ହାରାହାରି ମୂଳ ଦରମାର ୫୦ ପ୍ରତିଶତ ପେନସନ ପାଇବେ।
ଅନେକ ବ୍ୟାଙ୍କ ନିଜ କ୍ରେଡିଟ କାର୍ଡ ରିୱାର୍ଡ ଷ୍ଟ୍ରକଚରରେ ଆଜି ଠାରୁ ପରିବର୍ତ୍ତନ କରିବାକୁ କରିବାକୁ ଯାଉଛନ୍ତି । ସେହିପରି ୟୁପିଆଇ ଟ୍ରାଞ୍ଜାକସନ ପାଇଁ ମଧ୍ୟ ଆଜିଠୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ । ନିଷ୍କ୍ରିୟ ମୋବାଇଲ ନମ୍ବରରୁ ୟୁପିଆଇ କରାଯାଇପାରିବ ନାହିଁ। ୟୁପିଆଇ ସହ ଲିଙ୍କ ହୋଇଥିବା ଅଚଳ ନମ୍ବରରୁ ବାଦ ଦେବା ପାଇଁ ଏନପିସିଆଇ ପକ୍ଷରୁ ଫୋନପେ,ଗୁଗଲ ପେ ଆଦିକୁ ଅବଗତ କରାଯାଇଛି। ଦୀର୍ଘଦିନ ଧରି ୟୁପିଆଇ ବ୍ୟବହାର କରୁନଥିବା ଗ୍ରାହକଙ୍କୁ ବ୍ୟାଙ୍କରେ ସେମାନଙ୍କ ତଥ୍ୟ ଏପ୍ରିଲ ୧ ପୂର୍ବରୁ ଅପଡେଟ କରାଇବାକୁ କୁହାଯାଇଛି। ଏହାସହ କାଲିଠାରୁ ଜିଏସଟି ନିୟମରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହେବ। ଜିଏସଟି ପୋର୍ଟାଲରେ ମଲଟି ଫ୍ୟାକଟର ଅଥେଣ୍ଟିକେସନକୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ସେହିପରି କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାଲିଠାରୁ କାର୍ଯ୍ୟକାରୀ କରିବେ। ଯେଉଁମାନଙ୍କ ଖାତାରେ ସର୍ବନିମ୍ନ ଜମାରାଶି ନଥିବ ସେମାନଙ୍କ ଠାରୁ ଜରିମନା ଆଦାୟ ହେବ। ଏହି ନୂଆ ନିୟମରେ ପରିବର୍ତ୍ତନ ନେଇ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା । ଫେବୃଆରୀ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ ବେଳେ ଟାକ୍ସ ଓ ପେନସନ ଆଦିରେ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ । ଏବେ କାଲିଠାରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ନୂଆ ନିୟମ ପ୍ରଣୟନ ହେବ ।
