ବଜେଟରେ କୃଷି, ଜଳସେଚନକୁ ଗୁରୁତ୍ୱ

ବଜେଟରେ କୃଷି ପାଇଁ ୨୮, ୯୪୪ କୋଟି, ଜଳସେଚନ କ୍ଷେତ୍ରକୁ ୧୪,୪୬୭ କୋଟି

ରାଜ୍ୟ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ । କୃଷିି ଓ ଆନୁଷଙ୍ଗିକ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟରେ କୃଷି କ୍ଷେତ୍ର ପାଇଁ ୨୮ ହଜାର ୯୪୪ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଯାହାକି ପୂର୍ବ ବର୍ଷର ବ୍ୟୟ ବରାଦ ତୁଳନାରେ ୧୬.୬ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ପଶୁ ସମ୍ପଦ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡ଼ିଶା ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହି କ୍ଷେତ୍ରର ବିକାଶ ପାଇଁ ଏଥର ବଜେଟରେ ୧ ହଜାର ୯୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଚାଷୀଙ୍କ ଉନ୍ନତି ପାଇଁ ସରକାର କାଳିଆ ଯୋଜନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୯୩ ହଜାର ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଜଳସେଚନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଜଳସେଚନ କ୍ଷେତ୍ର ପାଇଁ ୧୪ ହଜାର ୪୬୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟରେ ଜଳଧାରଣା କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ସରକାର, ‘ଇନ-ଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର’ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଆଉ ୨୫ଟି ନୂଆ ‘ଇନ-ଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର’ ନିର୍ମାଣର ପ୍ରସ୍ତାବ ରହିଛି । ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୮୬୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି । ଅନ୍ୟପଟେ ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ୫ ବର୍ଷ ମଧ୍ୟରେ ୧୦ ହଜାର ୭୫୯ କୋଟି ଟଙ୍କା ବ୍ୟୟରେ ୧୭୦ଟି ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି । ଯେଉଁଥିରେ ୨ ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର ୨୨୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧୀ ଲୁଣି ବନ୍ଧ ପ୍ରକଳ୍ପ ଅଧୀନରେ ୧୯୪ କିଲୋମିଟର ଲୁଣି ବନ୍ଧକୁ ସୁଦୃଢ କରିବା ପାଇଁ ୭୬୩ କୋଟି ଠଙ୍କା ବ୍ୟୟ ବରାଦ କରାଯାଇଛି । ତା ସହିତ ବନ୍ୟା ପ୍ରତିରୋଧୀ ବନ୍ଧ ନିର୍ମାଣ ପାଇଁ ୧ ହଜାର ୧୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।