ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ

‘ଯଦି ବାଘ ପଠାଇବାର ଅଛି ତ ସ୍ଥାୟୀ ଭାବେ ପଠାନ୍ତୁ’

ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ବାଘୁଣୀ ଜିନ୍ନତ ପରେ ଆଉ ଏକ ବାଘକୁ ନେଇ ପୁଣି ଓଡ଼ିଶା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କୁ ଧ୍ୟାନ ରଖିବା ଜରୁରୀ କି ତାଙ୍କ ଜଙ୍ଗଲ କ୍ଷେତ୍ରରୁ ବାଘ ଅନ୍ୟ ରାଜ୍ୟକୁ ଯେପରି ନ ଯାଆନ୍ତି । ମମତା ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାର ତାଙ୍କର ଜଙ୍ଗଲ ବିଭାଗର ଏକ ଟିମ୍‌ ପଠାଇ ପଶ୍ଚିମବଙ୍ଗରୁ ବାଘକୁ ଧରି ନେବା ଉଚିତ୍ । ମମତା ବାନାର୍ଜୀ କହିଛନ୍ତି, “ଗୋଟିଏ ବାଘ ପାଞ୍ଚଟି ଜିଲ୍ଲା ପାର ହୋଇ ଏଠାରେ (ବାଙ୍କୁରା) ପହଞ୍ଚିଥିଲା । ଦିନରାତି କଠିନ ପରିଶ୍ରମ କରିବା ପରେ ଆମେ ବାଘକୁ ଧରିଥିଲୁ । ଏହାକୁ ଧରିବା ମାତ୍ରେ ଆମକୁ ବାଘକୁ ଫେରାଇବା ପାଇଁ ଫୋନ୍‌ ଆସିଥିଲା । ତେବେ ଗତକାଲି ଆଉ ଏକ ବାଘ ଓଡ଼ିଶାରୁ ପଶ୍ଚିମବଙ୍ଗ ଆସିଛି । ତୁମ ଜଙ୍ଗଲର ବାଘମାନଙ୍କୁ ଜଗିବାକୁ ପଡିବ, ଯାହାଫଳରେ ସେମାନେ ଆମ ରାଜ୍ୟକୁ ଆସିବେ ନାହିଁ । ମୁଁ ମୁଖ୍ୟ ଶାସନ ସଚିବଙ୍କୁ କହିବି କି ସେ ଓଡ଼ିଶା ସରକାରଙ୍କୁ କହିବେ କି ସେମାନେ ଆସି ବାଘକୁ ଧରି ନେଇଯିବେ’ । ‘ଏଠାରେ ଯେଉଁ ପରି ଭାବେ ବାଘକୁ ଧରାଯାଇଥିଲା, ତାହା ଏକ ମଡେଲ ଥିଲା । ବାଘକୁ କୌଣସି କ୍ଷତି ହୋଇନଥିଲା । କିନ୍ତୁ ଗୋଟିଏ ବାଘ ଯାଉ ଯାଉ ଆଉ ଏକ ବାଘକୁ ପୁଣି ପଠାଇଲେ ! ଏହା କ’ଣ ଚାଲିଛି ? ଯଦି ପଠାଇବାର ଅଛି ତ ସ୍ଥାୟୀ ଭାବେ ପଠାନ୍ତୁ । ଆମ ପାଖରେ ଜଙ୍ଗଲ ଅଛି । ଟାଇଗର୍‌ ରେସ୍କ୍ୟୁ ସେଣ୍ଟର ଅଛି । ଆମେ ରଖିପାରିବୁ । ଏହାକୁ ରଖିବା ପାଇଁ ଆପଣଙ୍କର ସ୍ଥାନ ନାହିଁ । ତୁମେ ବାଘଟିକୁ ନେଇ ପାଣିରେ ଛାଡିଦେଲ । ବାଘଟି ନଦୀ ପାର ହେବା ପାଇଁ କେତେ ସମୟ ଲାଗିବ? ଏଭଳି ପରିସ୍ଥିତିରେ ପୁଣି ଏକ ବାଘ ଏଠାକୁ ଆସିଲା। ମୁଁ ଓଡ଼ିଶା ସରକାରଙ୍କୁ ଦାୟୀ କରୁନାହିଁ । ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ତୁମେ ତୁମ ଟିମ୍‌ ପଠାଇ ବାଘକୁ କାବୁ କର’।

Leave a Reply

Your email address will not be published. Required fields are marked *