ଲାଞ୍ଚ କାରବାର ମାମଲାରେ IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍

IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍

ଭୁବନେଶ୍ବରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ CBIର ସମନ୍। ଯାହାର ଚିଠି ଲାଗିଛି ଓଟିଭି ହାତରେ। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ୍ ହୋଇଛି। ଡିସେମ୍ବର ୧୦ ତାରିଖରେ ସିବିଆଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ନିକଟକୁ ପଠାଇଥିଲା ସମନ। ଦିଲ୍ଲୀରୁ ତାଙ୍କୁ ଏହି ସମନ ପଠାଯାଇଥିବା ବେଳେ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ସିବିଆଇ ଅଫିସରେ ହାଜର ହେବାକୁ କୁହାଯାଇଥିଲା।

ଏହି ଚିଠିରେ ଲେଖାଯାଇଥିଲା ଯେ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍‌ଟିଡିର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ନାଁରେ ନୂଆଦିଲ୍ଲୀରେ ସିବିଆଇର ଏସି-ଟୁରେ ମାମଲା ରୁଜୁ ହୋଇଛି। ଏହା ଜଣାପଡ଼ିଛି ଯେ ଆପଣଙ୍କ ପାଖରେ ଏ ମାମଲା ସଂକର୍ପିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି, ଯାହାକୁ ଆପଣଙ୍କଠାରୁ ନିଶ୍ଚିତ କରିବା ଜରୁରୀ। ତେଣୁ ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ସିବିଆଇ ଅଫିସକୁ ଆସି ତଦନ୍ତରେ ଯୋଗ ଦେବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି।

ସିବିଆଇର ଏହି ସମନ ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ମୁହଁ ଖୋଲି ନାହାନ୍ତି। ଅନ୍ୟପକ୍ଷରେ ସିବିଆଇ ଗତକାଲି ଆଇଏଏସ୍ ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଛି। ଶ୍ରୀ ସେଠୀ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ଓ ତାଙ୍କ ସହ ଯେଉଁ ଡ୍ରାଇଭରମାନେ ରହିଛନ୍ତି, ସେମାନଙ୍କର ସମସ୍ତଙ୍କର ନାମ, ଠିକଣା, ମୋବାଇଲ ନମ୍ବର ଆଦି ଦେବା ପାଇଁ ସିବିଆଇ ଚିଠି ଲେଖିଛି। ଏହା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ସିବିଆଇ ଦର୍ଶାଇଛି।

Leave a Reply

Your email address will not be published. Required fields are marked *