ଦାବି ପୂରଣ ନହେଲେ ବନ୍ଦ ରହିବ ୧ ନମ୍ବର ହାଟ !

ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ କଲେ ବ୍ୟବସାୟୀ ସଂଘ !

ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି ଭୁବନେଶ୍ୱର ୧ ନମ୍ବର ହାଟ । ଆସନ୍ତା ମଙ୍ଗଳବାର ଯାଏଁ ଅର୍ଥାତ ଆଗାମୀ ୪ଦିନ ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ଦୈନିକ ହାଟ ବ୍ୟବସାୟୀ ସଂଘ । ସୂଚନା ଅନୁସାରେ ଦାବି ପୂରଣ ନହେବାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ। ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ ରାସ୍ତା ଜବର ଦଖଲଉଚ୍ଛେଦ ଭଳି ଦାବି କରିଥିଲା ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ। ଏ ସସସ୍ତ ସମସ୍ୟାର ସମାଧାନ ନେଇ BMC ଅଫିସ ଘେରାଉ କରିଥିଲା ସଂଘ।

ତେବେ ଏସବୁ ଦାବି ନେଇ କମିଶନରଙ୍କ ସହ ଆଲୋଚନା ବିଫଳ ପରେ ବଜାର ବନ୍ଦ ପାଇଁ ନିଷ୍ପତ୍ତି ନେଇ ବ୍ୟବସାୟୀ ସଂଘ। ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । ସଂଘର ଅଭିଯୋଗ ଅନୁସାରେ ୧୯୫୬ ମସିହାରେ ଜିଏ ବିଭାଗର ୩.୮୨୨ ଏକର ଜାଗାରେ ଏହି ହାଟ ଆରମ୍ଭ ହୋଇଥିଲା। ପରିଚାଳନା ତଥା ଉନ୍ନତୀକରଣ ପାଇଁ ଜିଏ ବିଭାଗ ୧୯୮୪ ମସିହାରେ ହାଟକୁ ତତ୍‌କାଳୀନ ଭୁବନେଶ୍ବର ମୁନିସିପାଲିଟିକୁ ହସ୍ତାନ୍ତର କରିଥିଲା ।

ସେତେବେଳେ ରଖା ଯାଇଥିବା ଏକାଧିକ ସର୍ତ୍ତ ମଧ୍ୟରୁ ଥିଲା, ମାର୍କେଟ ପରିସରରେ ହୋଲ୍‌ ସେଲ୍‌ ପରିବା ବ୍ୟବସାୟ ହୋଇପାରିବ ନାହିଁ, ଏହି ହାଟର ଆଖପାଖ ରାସ୍ତାରେ ବଡ଼ ଗାଡ଼ି ଟ୍ରକ୍‌, ଲରିକୁ ଅନୁମତି ଦିଆଯିବ ନାହିଁ, ହାଟର ଉତ୍ତର ପାର୍ଶ୍ବକୁ ଫାଟକ ଖୋଲିବ ନାହିଁ । ଭାରୀଯାନ ପ୍ରବେଶ ନ କରିବା ପାଇଁ ପରିବା ହାଟ ରାସ୍ତାରେ ବିଡିଏ ବ୍ୟାରିୟର ତିଆରି କରିଥିଲା । ହେଲେ ପରିବା ହାଟକୁ ଗାଡ଼ି ଆସିବା ପାଇଁ ବିଏମସି ଏହାକୁ ରାତାରାତି ଉଚ୍ଛେଦ କରିଦେଲା । ଉତ୍ତର ପାର୍ଶ୍ବକୁ ଏକ ଫାଟକ ବି ଖୋଲିଲା । ଏହି ରାସ୍ତାରେ କିଛି ବ୍ୟବସାୟୀ ବସିଲେ । ଫଳରେ ବିଭିନ୍ନ ସମୟରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କଲା । ଯାହାକୁ ନେଇ ସମସ୍ୟା ଦେଖିବାକୁ ମିଳିଛି । ତେବେ ଅବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ କହିଛି ।