ସଚିବଙ୍କୁ କାଳିମାଡ଼, ଦାୟୀ କିଏ ?
ସତ୍ୟବାଦୀରେ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ ଘଟଣା। ଅଭିଯୁକ୍ତ ଭାସ୍କର ସାହୁ ଏବେ ପୋଲିସ ହେପାଜତରେ । ହେଲେ ଏହି ଘଟଣା ପରେ ସରଗରମ ହୋଇଛି ରାଜନୈତିକ ମାହୋଲ । ଘଟଣାକୁ ବିଜେଡି ସମେତ ବହୁ ବୁଦ୍ଧିଜୀବୀ ନିନ୍ଦା କରୁଥିବା ବେଳେ ଘଟଣାର ଦୃଢ ତଦନ୍ତ ନେଇ ମଧ୍ୟ ଦାବି ହୋଇଛି । ସେପଟେ କିପରି ଅଭିଯୁକ୍ତ ସୁରକ୍ଷା ବଳୟ ଭେଦି ଜଣେ ଏତେ ବଡ ସଚିବଙ୍କୁ କାଳିମାଡ଼ କଲା ତାହା ଏବେ ସବୁଠୁ ବଡପ୍ରଶ୍ନବାଚୀ । ଏହି କାର୍ଯ୍ୟକ୍ରମରେ ଖାଲି ସଚିବ ଉପସ୍ଥିତ ନଥିଲେ ବରଂ ତାଙ୍କ ସହ ଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଆଉ କାଳିର ଛିଟା ମଧ୍ୟ ତାଙ୍କ ଉପରେ ପଡିଛି। ତେଣୁ ଏତେ ବଡ ବଡ ଅଫିସରଙ୍କ ପାଖରେ କିପରି ଢିଲା ହେଲା ସୁରକ୍ଷା ବ୍ୟବସ୍ଥା ? ଯଦି ଭରା ସଭାରେ ଅଫିସର ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ? ଏହାର ଉତ୍ତରଦାୟୀ କିଏ ଭାସ୍କର ନା ପୋଲିସ ପ୍ରଶାସନ?
ତେବେ ପୁରା ଘଟଣାଅନୁଯାୟୀ ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି 5T ସଚିବ ଭି. କେ ପାଣ୍ଡିଆନଙ୍କ ମୁହଁରେ ପଡ଼ିଥିଲା। ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି। ନିକଟ ଅତୀତରେ ଏହିପରି ଏକ ଭରା ସଭାକୁ ଯିବା ସମୟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ଘଟଣା ବୋଧହୁଏ ଆପଣମାନଙ୍କ ମନରୁ ଲିଭିନଥିବ । କିପରି ଜଣେ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ନବ ଦାସଙ୍କୁ ଗୁଳିକରିଥିଲା । ସେଦିନ ବି ପୋଲିସର ପ୍ରଶାସନର ପାରିବା ପଣିଆ ଆଉ ଆଜି ମଧ୍ୟ କାଳିମାଡ ଘଟଣା ପରେ ପୋଲିସ ବିଭାଗର ଦାୟିତ୍ଵ ଉପରେ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ। ବିଚାର ଆପଣଙ୍କର !