‘ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ’

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଭବାନୀପାଟଣାର କ୍ରିଷ୍ଣାନଗର ପଡ଼ିଆଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ  ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏହି ଯୋଜନା ପାଇଁ ୨,୬୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୩ ବର୍ଷରେ ଏଥିପାଇଁ ୭,୫୫୦ କୋଟି ଟଙ୍କା ବିନିଯୋଗ କରାଯିବ।ସତୁରି ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ସମାଜରେ ସବୁଠାରୁ ଅଧିକ ଗରିବ ଓ ଅସହାୟ ଲୋକମାନେ ଉପକୃତ ହେବେ।  ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ। ଏହା ସହିତ କର୍କଟ, କୁଷ୍ଠ, କିଡ଼ନୀ ରୋଗ, ଲିଭର ସିରୋସିସ, ଥାଲାସେମିଆ ଅଥବା ଏଚ୍‌ଆଇଭି ପରି ଦୁରାବ୍ୟାଧିରେ ପୀଡ଼ିତ ପରିବାର ଏବଂ ଅନାଥ, ନିରାଶ୍ରୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ମୁକ୍ତ ଗୋତି ଶ୍ରମିକ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡାବିତ୍ ମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇପାରିବେ। ଅନ୍ତ୍ୟୋଦୟ ଗୃହ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପି.ଏମ୍. ଜନମନ ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ଯୋଜନାରେ ଯେଉଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇବାର ୪ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରୁଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସରେ ଘର ସମ୍ପୂର୍ଣ୍ଣ କଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି।