ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି
ସତ୍ୟନଗର ଶ୍ମଶାନରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ । ବାପାଙ୍କୁ ମୁଖାଗ୍ନୀ ଦେଲେ ବାବୁସାନ୍ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରଗଲା ଶେଷକୃତ୍ୟ। ଅଫେରା ରାଇଜରେ ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ଓଡ଼ିଆ ସିନେମା ଜଗତରେ ଏକ ଗୋଲଡେନ୍ ଯୁଗର ଅବସାନ ଘଟିଛି। ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
