ଟିକେଟ କାଟିଲା ବିଜେଡି, ଦଳ ଛାଡ଼ିଲେ ସୀମାରାଣୀ ନାୟକ

ବିଜେଡି ଛାଡ଼ିଲେ ହିନ୍ଦୋଳ ବିଧାୟିକା

ଟିକେଟ୍ କଟିଲା ପରେ ଦଳ ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଗତକାଲି ସୀମାରାଣୀଙ୍କ ନାଁ ନଥିଲା। ତାଙ୍କ ସ୍ଥାନରେ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳ ବିଧାନସଭା ଆସନ ଟିକେଟ୍ ଦେଇଛି ବିଜେଡି। ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୀମାରାଣୀ । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ। ବିଧାୟକ ଟିକେଟ କଟିବା ପରେ ଛାତିରେ କୋହ ଜାବୁଡ଼ି ସୀମାରାଣୀ କହିଛନ୍ତି, ମୁଁ ଦୁଇ ଦୁଇ ଥରର ବିଧାୟିକା ହୋଇ ବି ମୋ’ ପାଖରେ ଟଙ୍କା ନାହିଁ। ମୁଁ ଦଳ ପାଇଁ ବହୁତ କାମ କରିଛି । ହେଲେ ଦଳ ମୋତେ ଅଣଦେଖା କଲା। କିଛି ମୁଷ୍ଟିମେୟ ଲୋକଙ୍କ ରିପୋର୍ଟ ଆଧାରରେ ମୋ’ ଟିକେଟ କାଟି ଦେଇଛନ୍ତି । ମୋ’ ରିପୋର୍ଟ ଭଲ ନାହିଁ ବୋଲି ଯଦି ଜାଣିଲେ ମୋତେ ଅବଗତ କରିବା କଥା। ହେଲେ ମୋତେ ଅଣଦେଖା କରି ଅନ୍ୟ ଜଣଙ୍କୁ ଟିକେଟ ଦେଲେ। ମୁଁ ଜଣେ ଅନୁସୂଚିତ ଜାତି ଓ ମଧ୍ୟବିତ ପରିବାରର ଲୋକେ। କମ୍ପାନୀ, ଖଣି, ମୁଷ୍ଟିମେୟ ଲୋକଙ୍କ ହାତରେ ପଇସା। ଯାହା ହାତରେ ପଇସା ତା’ ହାତରେ କ୍ଷମତା। ହେଲେ ମୁଁ ତୃଣମୂଳ ସ୍ତରରୁ ଆସିଛି ବୋଲି କୋହଭରା କଣ୍ଠରେ କହିଛନ୍ତି ସୀମାରାଣୀ।