ସୁନ୍ଦରଗଡ଼ରେ ହେବ ମହାଲଢେଇ

୧୦ବର୍ଷ ପରେ ପୁଣି ମୁହାଁମୁହିଁ ହେବେ ଜୁଏଲ୍- ଦିଲ୍ଲୀପ

ଏଥର ସୁନ୍ଦରଗଡ଼ରେ ହେବ ମହାଲଢେଇ । ସୁନ୍ଦରଗଡ଼ରେ ପୁନରାବୃତ୍ତି ହେବ ୨୦୧୪ର ଲଢ଼େଇ । ୧୦ବର୍ଷ ପରେ ପୁଣି ମୁହାଁମୁହିଁ ହେବେ ଟାଣୁଆ ଆଦିବାସୀ ଚେହେରା ଜୁଏଲ୍ ଓରାମ ଓ ସୁନାମଧନ୍ୟ ହକି ଆଇକନ୍ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ଜୁଏଲ୍ ଲଗାତର ଭାବରେ ବିଜେପି ଟିକେଟ୍ ପାଇଛନ୍ତି । ଦିଲ୍ଲୀପଙ୍କୁ ପୂର୍ବରୁ ୨୦୧୪ରେ ବିଜେଡି ଟିକେଟ୍ ମିଳିଥିଲା କିନ୍ତୁ ସେ ମାତ୍ର ୧୮,୮୨୯ ଭୋଟରେ ପରାସ୍ତ ହୋଇଥିଲେ । ଦଳ ତାଙ୍କ ଉପରେ ଏଥର ପୁଣି ଭରସା କରିଛି । ୨୦୧୯ରେ ବିଜେଡି ଦିଲ୍ଲୀପଙ୍କ ବଦଳରେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା । ୧୯୯୮, ୧୯୯୯ରେ ସୁନ୍ଦରଗଡ଼ ଲୋକସଭାରୁ ଜିତି ଜୁଏଲ୍ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ୨୦୦୯ରେ ଏଠାରୁ ହେମାନନ୍ଦ ବିଶ୍ୱାଳ ଜିତିଥିଲେ । ତେବେ ୨୦୧୪ ଓ ୨୦୧୯ରେ ଲଗାତର ଜୁଏଲ୍ ଓରାମ ଜିତୁଛନ୍ତି । ଜୁଏଲଙ୍କ ଲୋକପ୍ରିୟତାକୁ ରୋକିବାକୁ ୨୦୧୪ ଭଳି ପୁଣିଥରେ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ଭରସା କରିଛି ବିଜେଡି । ଦିଲ୍ଲୀପ ଏବେ ହକି ଇଣ୍ଡିଆ ଅଧ୍ୟକ୍ଷ ଅଛନ୍ତି । ସୁନ୍ଦରଗଡ଼ ଲୋକସଭା ଅଧିନ ରାଉରକେଲା ଓ ଅନ୍ୟାନ୍ୟ ଜାଗାରେ ହକି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ୨୦୧୪ରେ ଜୁଏଲ୍‌ଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଦିଲ୍ଲୀପ ତିର୍କୀ । ସେହି ନିର୍ବାଚନରେ ଜୁଏଲ୍‌ ୩ ଲକ୍ଷ ୪୦ ହଜାର ୫୦୮ ଭୋଟ୍‌ ପାଇଥିବାବେଳେ ଦିଲୀପ ୩ ଲକ୍ଷ ୨୧ ହଜାର ୬୭୯ ଭୋଟ୍‌ ପାଇଥିଲେ। ମାତ୍ର ୧୪ ହଜାର ଭୋଟରେ ଜୁଏଲ ବିଜୟୀ ହୋଇଥିଲେ। ବଡ଼କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସତ୍ତ୍ୱେ ବିଜେଡି ଏଠାରେ ଖାତା ଖୋଲି ପାରିନାହିଁ। ଦିଲୀପଙ୍କ ବ୍ୟତୀତ ବିଜେଡିର ଅନ୍ୟ କୌଣସି ପ୍ରାର୍ଥୀ ଜୁଏଲ୍‌ଙ୍କୁ ସେଭଳି ଆଖିଦୃଶିଆ ଟକ୍କର ବି ଦେଇପାରିନାହାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଏଥର ପୁଣି ଦିଲୀପଙ୍କ ଜରିଆରେ ବିଜେପିର ଏହି ଗଡ଼ ଦଖଲ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ଅନ୍ୟପଟେ କଂଗ୍ରେସ ଏଯାଏ ନିଜ ପ୍ରାର୍ଥୀ ‌ଘୋଷଣା କରି ନାହିଁ।