ସୁଦାମ ମାର୍ଣ୍ଡି ବନାମ ନବଚରଣ ମାଝି

ମୟୂରଭଞ୍ଜରେ ହେବ ହାଇଭୋଲଟେଜ ଫାଇଟ

ଲୋକସଭା ଓ ବିଧାନସଭା ନିର୍ବାଚନରେ ହେବ କଡ଼ା ଫାଇଟ । ବିଜେପି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ବିଜେଡି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । ଏମିତି କିଛି ଚର୍ଚ୍ଚିତ ଆସନ ଅଛି ଯେଉଁଠି ହେବ ହାଇଭୋଲଟେଜ ଫାଇଟ । ଏଥର ମୟୂରଭଞ୍ଜ ଆସନରେ ହେବ ଜୋରଦାର ଲଢେଇ । ଏହି ଲୋକସଭା ଆସନରୁ ମୁହାଁମୁହିଁ ହେବେ ବିଜେଡିରୁ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଜେପିରୁ ବିଧାୟକ ନବ ଚରଣ ମାଝି । ଆଦିବାସୀ ଚେହେରା ଭାବେ ଉଭୟଙ୍କର ସମଗ୍ର ଜିଲ୍ଲାରେ ସୁନାମ ଓ ପ୍ରଭାବ ରହିଛି । ପୂର୍ବରୁ ଉଭୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଏକାଠି ରାଜନୀତି କରୁଥିଲେ । ପୁରୁଣା ସାଥୀ ଏଥର ଲୋକସଭା ଆସନରେ ସାମ୍ନାସାମ୍ନି ହେବେ । ୨୦୧୯ରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଚମକ୍ରାର ପ୍ରଦର୍ଶନ କରିଥିଲା ବିଜେପି । କିନ୍ତୁ ପଞ୍ଚାୟତ ଭୋଟରେ ବିଜୁ ଜନତା ଦଳ ବାଜି ମାରିଥିଲା । ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାମ କାଟି ନବଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିଭଳି ବିଜେପିର ଲୋକସଭା କ୍ରେଜକୁ ରୋକିବାକୁ ବିଜେଡି ଜିଲ୍ଲାର ସବୁଠୁ ପ୍ରଭାବୀ ନେତା ସୁଦାମ ମାର୍ଣ୍ଡିଙ୍କୁ ଛାଡ଼ିଛି । ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଭଳି ଆସନ ପର୍ଯ୍ୟନ୍ତ ପହଞ୍ଚାଇଛି ବିଜେପି । ସେହି ରାଇରଙ୍ଗପୁରରୁ ଗତଥର ଜିତିଥିଲେ ନବ । ତେବେ ଏଥର ମୟୂରଭଞ୍ଜରୁ କିଏ ଯିବ ଲୋକସଭା ସୁଦାମ ମାର୍ଣ୍ଡି ନା ନବ ଚରଣ ମାଝି । ସୁଦାମ ମାର୍ଣ୍ଡିଙ୍କ କେଜ୍ ଆଗରେ ଫିକା ପଡିଯିବନି ତ ବିଜେପି । ନା ପୁଣି ମୟୂରଭଞ୍ଜ ଲୋକସଭା ଆସନ ଯିବ ବିଜେପି ଖାତାକୁ ।