ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ଖାରଜ
ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଆବେଦନଟି ଅପରିପକ୍ବ ଥିବା ଦର୍ଶାଇବା ସହିତ ଏହା ଏଭଳି ସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଏନେଇ ଆଗତ ଜନସ୍ବାର୍ଥ ମାମଲାର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିସ୍ତୃତ ଶୁଣାଣି ହୋଇଥିଲା ।ମକଦ୍ଦମା ଶୁଣାଣି ବେଳେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାର ଓ ବିଧାନସଭା ପକ୍ଷରୁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ଯୁକ୍ତି ଦର୍ଶାଇଥିଲେ, ଏଭଳି ମାମଲା ଅବାଞ୍ଛନୀୟ ଓ ଅଗ୍ରହଣୀୟ। ଏହି ମାମଲା ବିଚାରଯୋଗ୍ୟ ନୁହେଁ । ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଆଇନ ଆସିନାହିଁ ।ବିଲ ଓ ଆଇନ ମଧ୍ୟରେ ପ୍ରଭେଦ ନ ଜାଣି ଅପରିପକ୍ବ ମାମଲା ଦାୟର ହୋଇଥିବାରୁ ହାଇକୋର୍ଟଙ୍କ ସମୟ ଅପଚୟ ଓ ଆଇନର ଅପବ୍ୟବହାର କରାଯାଉଛି ବୋଲି ଆଡଭୋକେଟ ଜେନେରାଲ ଯୁକ୍ତି ରଖିଥିଲେ। ଆବେଦନକାରୀଙ୍କୁ ଦୃଷ୍ଟାନ୍ତମୂଳକ ଅର୍ଥଦଣ୍ଡ ଦେଇ ମାମଲାକୁ ଖାରଜ କରାଯାଉ ବୋଲି ଯୁକ୍ତି ବାଢ଼ିଥିଲେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମକଦ୍ଦମାଟି ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକୁ ଖାରଜ କରି ଦେଇଛନ୍ତି । ଏହା ଆଇନରେ ପରିଣତ ହେବା ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ପରେ ହିଁ ଆବେଦନକାରୀ ମାମଲା କୋର୍ଟରେ ଦାୟର କରିପାରିବେ ବୋଲି କହିଛନ୍ତି ହାଇକୋର୍ଟ ।
