‘ସମୁଦ୍ର ପଥରେ ପୋଟ୍ରୋଲିଂ କଡ଼ାକଡ଼ି ‘

ବାଂଲାଦେଶରେ ନିଆଁ, ଓଡ଼ିଶାରେ ହାଇ ଆଲର୍ଟ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ଓଡ଼ିଶାରେ ହାଇ ଆଲର୍ଟ । ସମୁଦ୍ର ପଥରେ ବୋଟ୍ ଯୋଗେ ଅନୁପ୍ରବେଶକାରୀ ଆସିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ରାଜ୍ୟ ପୋଲିସ । ଓଡ଼ିଶା ସୀମାନ୍ତର ଜଳ ଓ ସ୍ଥଳପଥରେ ତୀକ୍ଷଣ ନଜର ରହିଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ସେ କହିଛନ୍ତି, ‘ସମୁଦ୍ର ପଥରେ ପୋଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ଆଲର୍ଟ କରାଯାଇଛି। ଏସବୁ ଜିଲ୍ଲାର ୯ଟି ସାମୁଦ୍ରିକ ଥାନାକୁ ସଚେତନ କରାଯାଇଛି । ସମୁଦ୍ରରେ ୫ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି । ସେହିପରି ଜଳପଥରେ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିଛି କୋଷ୍ଟଗାର୍ଡ । ଗୁଇନ୍ଦା ବିଭାଗକୁ ବି ସତର୍କ କରାଯାଇଥିବା ପୋଲିସ ଡିଜି କହିଛନ୍ତି ।ସୂଚନା ଅନୁସାରେ ଓଡ଼ିଶାରେ ରହିଛି ବିସ୍ତିର୍ଣ୍ଣ ସମୁଦ୍ରକୂଳ । ଯାହା ପଶ୍ଚିମବଙ୍ଗ ଓ ବାଂଲାଦେଶର ବହୁ ନିକଟତର । ୪୧୮ କିଲୋମିଟର ଲମ୍ବା କୋଷ୍ଟଲାଇନ୍‌ରେ ଏବେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏହି ୪ ଜିଲ୍ଲା ଉପରେ ସବୁବେଳେ ବିଶେଷ ନଜର ଥାଏ । କୁହାଯାଏ ୧୯୭୧ ଓ ତାପୂର୍ବରୁ ପଡ଼ୋଶୀ ରାଷ୍ଟ୍ରରୁ ବହୁ ଲୋକେ ଏହି ବାଟ ଦେଇ ଓଡ଼ିଶାକୁ ପ୍ରବେଶ କରିଛନ୍ତି । ବାଂଲାଦେଶ ଗଠନ ବେଳେ ବି ଅନେକ ଶରଣାର୍ଥୀ ଏହି ବାଟରେ ଭାରତକୁ ଆସିଛନ୍ତି । ଏବେ ସୀମା ସୁରକ୍ଷା ଓ ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା ବଢ଼ାଇଛି ।

Leave a Reply

Your email address will not be published. Required fields are marked *