ସ୍ବାମୀଙ୍କ ମୃତଦେହ ନେବାକୁ ନାହିଁ ସମ୍ବଳ

ଦାରିଦ୍ର୍ୟତାର କରୁଣ କାହାଣୀ, ଶବ ନେବାକୁ ନାହିଁ ଟଙ୍କା

ବାବୁ.. ଏ ବାବୁ.. ମୋ ପାଖରେ ଟଙ୍କା ପଇସା କିଛି ନାହିଁ । ମୁଁ କେମିତି ମୋ ସ୍ବାମୀଙ୍କ ମୃତଦେହ ଗାଁକୁ ନେବି । ଆପଣ ଏହି ଜଙ୍ଗଲରେ ମୋ ସ୍ବାମୀଙ୍କ ଶବକୁ ପୋତି ଦିଅ । ଦାଦନ ଶ୍ରମିକ ପରିବାର ଏଥିଲା ଦୁଃଖର ଶେଷର ସୀମା । ଘରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ । ଏପରି ସ୍ଥିତିରେ ସ୍ୱାମୀଙ୍କ ମୃତଦେହକୁ ଗାଁକୁ କେମିତି ନେବେ ? ତେଣୁ ନିଜ ଛାତିରେ ପଥର ରଖି ଜୀବନ ସାଥୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ । ମୃତଦେହକୁ ଜଙ୍ଗଲରେ ପୋତି ଦେବା ପାଇଁ ଛଳଛଳ ଆଖିରେ କହିଥିଲେ ପତ୍ନୀ । ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଗତମୁଣ୍ଡା ଗାଁର ଅଭିରାମ ଧାରୁଆ ଗତ ୫ ବର୍ଷ ହେଲା ପଡୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସହରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ସେ ସେଠାରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ଦୁଇ ସାଙ୍ଗ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଗତ ୫ ତାରିଖରେ ଅଭିରାମଙ୍କୁ ତାଙ୍କ ଘର ଗତମୁଣ୍ଡାକୁ ନେଇଥିଲେ ତାଙ୍କର ଦୁଇ ସାଙ୍ଗ । ହେଲେ ଅଧା ରାସ୍ତାରେ ଅଭିରାମଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସେମାନେ ଅଭିରାମଙ୍କ ପତ୍ନୀ ବାଲମତୀ ଧାରୁଆଙ୍କୁ ଫୋନ୍‌ରେ ଜଣାଇଥିଲେ । ଗରିବିରେ ପେଶି ହେଉଥିବା ବାଲମତୀ ଧାରୁଆ ଅସହାୟତା ପ୍ରକାଶ କରି ପାଖରେ ପଇସା ନଥିବାରୁ ଗାଁକୁ ସ୍ୱାମୀଙ୍କ ମୃତଦେହ ନେଇପାରିବେ ନାହିଁ ବୋଲି କହିଥିଲେ । ତେଣୁ ଜଙ୍ଗଲରେ ପୋତି ଦେବା ପାଇଁ ଛଳ ଛଳ ଆଖିରେ କହିଥିଲେ ବାଲମତୀ। ଏହା ପରେ ଅଭିରାମଙ୍କ ମୃତଦେହକୁ ନବରଙ୍ଗପୁର ଜିଲ୍ଲା ମଇଦଲପୁର ଥାନା ଗୁଜମାପଦର ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଥିଲା । କିଛି ଦିନ ତଳେ ଗୁଜମାପଦର ଜଙ୍ଗଲରୁ ସ୍ଥାନୀୟ ଲୋକେ ଏକ ଦର ପୋତା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ପୋଲିସ ଶବ ପାଖରେ ଥିବା ବ୍ୟାଗରୁ ଅଭିରାମଙ୍କ ଆଧାରକାର୍ଡ଼ ଓ ପ୍ରେସ୍‌କ୍ରିପ୍‌ସନ୍‌ ପାଇ ଅଭିରାମଙ୍କ ପତ୍ନୀ ବାଲମତୀଙ୍କ ସହିତ ଯୋଗାଯୋଗ କରିଥିଲା। ସେହି ସମୟରେ ସେ ପୂରା ଘଟଣା କହିଥିଲେ । ମହିଦଲପୁର ଥାନା ଅଧିକାରୀ ନଟବର ନନ୍ଦ ବାଲମତୀଙ୍କ ପାରିବାରିକ ଆର୍ଥିକ ସ୍ଥିତି ଭଲ ନଥିବା ଜାଣିବା ପରେ ନିଜ ହାତରୁ ୨୦୦୦ ଟଙ୍କା ଦେଇ ଗୋଟିଏ ଗାଡ଼ି ପଠାଇଥିଲେ । ସେହି ଗାଡ଼ିରେ ବାଲମତୀ ଆସିଲେ । ଆଉ ନିଜ ସ୍ୱାମୀଙ୍କ ମୃତଦେହ ନେଇଗଲେ ।