ଆଗାମୀ ତିନି ଦିନ ଯାଏଁ ସାରା ରାଜ୍ୟରେ ବର୍ଷା
ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ । ସେହିପରି ଏହାର ପରବର୍ତ୍ତୀ ୩ ଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସିଏମ୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ କେତେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ମାରି ପାରେ। ଏହି ସବୁ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।