ଉତ୍ତରାଖଣ୍ଡର ଚମୋଲିରେ ପ୍ରଳୟ

ଉତ୍ତରାଖଣ୍ଡରେ ଭୟଙ୍କର ବାଦଲଫଟା ବର୍ଷା, ଜଣେ ମୃତ

ଉତ୍ତରାଖଣ୍ଡର ଚମୋଲିରେ ପ୍ରଳୟ । ଚମୋଲି ଜିଲ୍ଲା ଧରାଲିରେ ଭୟଙ୍କର ବାଦଲଫଟା ବର୍ଷା ଯୋଗୁ ସବୁ ଛାରଖାର । ମାଟିରେ ମିଶିଲା ବହୁ ଘରଦ୍ବାର । ଭାସିଗଲା ଗାଡ଼ି ମୋଟର । ଗତକାଲି ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି । ବାଦଲ ଫଟା ବର୍ଷାରେ ଧରାଲି ସମେତ ଆଖପାଖ ଗାଁ ଗୁଡ଼ିକରେ ଥିବା ଘରଗୁଡ଼ିକରେ ମାଟି, କାଦୁଅ ପଶିଯାଇଛି । ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ସାଗବାଡ଼ା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି ।ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ଧରାଲି-ଗ୍ବାଲଦମ ଏବଂ ଧରାଲି-ସାଗୱାଡ଼ା ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ସହାୟତାରେ ଏନଡିଆରଏଫ, SDRF ଟିମ ପକ୍ଷରୁ ଜୋରଦାର ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ଆଜି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଏହାସହିତ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ବନ୍ୟାର ଆଶଙ୍କା ରହିଛି ।ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମମନ୍ତ୍ରୀ ପୁଷ୍କର ସିଂ ଧାମି । ସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରଭାବିତଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିପର୍ଯ୍ୟୟ ପରେ ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ନଦୀକୂଳରୁ ଦୂରେଇ ରହିବାକୁ ଏବଂ ଅନାବଶ୍ୟକ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି ।