୧୬ରୁ ପୁଣି ବର୍ଷିବ

ବଢିବା ବଦଳରେ କମିବ ଶୀତ !

ଓଡ଼ିଶାକୁ ଆସୁଛି ଆଉ ଏକ ବଡ ବର୍ଷା ! ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଉଛି ଲଘୁଚାପ । ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପ ରୂପନେବା ସମ୍ଭାବନା ରହିଛି । ପ୍ରଭାବରେ ୧୬ତାରିଖରୁ ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ସମେତ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ଓଡିଶାର ଜିଲ୍ଲା ଗୁଡିକରେ ବର୍ଷା ହେବ । ଏନେଇ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି । ଲଘୁଚାପ ସୃଷ୍ଟି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ତାହା ପ୍ରଭାବରେ କେତେ ପରିମାଣର ବର୍ଷା ହେବ ସେ ନେଇ କୌଣସି ସୂଚନା ନାହିଁ । ଅନ୍ୟପଟେ ଓଡ଼ିଶାକୁ ପ୍ରବେଶ କରିବ ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସେମିଳିଗୁଡାର ତାପମାତ୍ରା ୧୧.୧ ଡିଗ୍ରୀ ରହିଥିବାବେଳେ କୋରାପୁଟରେ ୧୧.୬, କେନ୍ଦୁଝରରେ ୧୨.୮, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୩, ଭବାନୀପାଟଣାରେ ୧୫ ଓ ନବରଙ୍ଗପୁରରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।