ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ପଶ୍ଚିମରେ ବର୍ଷା
ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଝାଡ଼ଖଣ୍ଡ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଆଜି ସେହି ଅଞ୍ଚଳରେ ରହିଥିଲା। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଆସନ୍ତା ୨ ଦିନରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଅତିକ୍ରମ କରିବ। ମୌସୁମୀ ଟ୍ରଫ୍ ଲାଇନ୍ ଅମୃତସର, ଚଣ୍ଡୀଗଡ଼, କାନପୁର, ଡାଲ୍ଟନ୍ଗଞ୍ଜ, ଲଘୁଚାପର କେନ୍ଦ୍ର ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ହୋଇ ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ପଶ୍ଚିମ ଆସାମରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ଝାଡ଼ଖଣ୍ଡ, ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଉପରେ ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟର ୩.୧ କିମି ଉଚ୍ଚତାରେ ରହିଛି।
ଏହାର ପ୍ରଭାବରେ ଗତକାଲି ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
