ଜମ୍ମୁକାଶ୍ମୀରରେ ଏନସିକୁ ସମର୍ଥନ ଦେଲା ଆପ୍
ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମେଣ୍ଟ ବହୁମତ ହାସଲ କରିଥିବା ବେଳେ ସରକାର ଗଢ଼ିବାକୁ ଯାଉଛନ୍ତି । ଏନସି ୪୨ ଆସନରେ ବାଜିମାତ କରିଥିବା ବେଳେ କଂଗ୍ରେସକୁ ମିଳିଛି ୬ଟି ଆସନ୍ । ଏନସି-କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରିବାକୁ ଥିବା ବେଳେ ଜମ୍ମୁକାଶ୍ମୀରରେ ମାତ୍ର ଗୋଟିଏ ଆସନ ଜିତିଥିବା ଆମ ଆଦମୀ ପାର୍ଟି (ଆପ୍) ଏନସିକୁ ସମର୍ଥନ ଦେବ ବୋଲି ଘୋଷଣା କରିଛି ।ଡୋଡା ଆସନରୁ ବିଜୟୀ ହୋଇଥିବା ଆପ୍ର ଏକମାତ୍ର ବିଧାୟକ ମେହରାଜ ମଲିକ୍ ନିଜର ସମର୍ଥନ ପତ୍ର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ପଠାଇ ଦେଇଛନ୍ତି ।ଏହା ପୂର୍ବରୁ ଗୁରୁବାର ଏନସିକୁ ୪ ଜଣ ସ୍ବାଧୀନ ବିଧାୟକ ସମର୍ଥନ ଦେବା ପରେ ଏକାକୀ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଛି । ଏବେ ଆପ୍ର ସମର୍ଥନ କଂଗ୍ରେସକୁ ସାମାନ୍ୟ ବଳ ଦେବ ବୋଲି କୁହାଯାଉଛି । ଗତ ନିର୍ବାଚନରେ କଂଗ୍ରେସ ୧୨ଟି ଆସନ ଜିତିଥିବା ବେଳେ ଏବେ ମାତ୍ର ୬ ଆସନରେ ସନ୍ତୁଷ୍ଟ ରହିଛି । ସେପଟେ ହରିୟାଣାରେ ବଡ଼ ପରାଜୟ ଭୋଗିଥିବା କଂଗ୍ରେସକୁ ଇଣ୍ଡି ମେଣ୍ଟରେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିଛି ।ହରିୟାଣା ନିର୍ବାଚନରେ ପୁଣି ଥରେ ଶାସନକୁ ଫେରିବା ନେଇ କଂଗ୍ରେସ ଏକ ପ୍ରକାର ନିଶ୍ଚିତ ଥିଲା । ଆଉ ଏଥିପାଇଁ ସେଠାରେ ଆପ୍ ସହ ମେଣ୍ଟ କରିବାକୁ ମନା କରିଦେଇଥିଲା ଦଳ । ଇଣ୍ଡି ମେଣ୍ଟର ଅନ୍ୟ ଦଳ ଏବେ କଂଗ୍ରେସର ପରାଜୟର କାରଣ ଖୋଜିବାରେ ଲାଗିପଡ଼ିଛନ୍ତି । ସେପଟେ ଇଣ୍ଡି ମେଣ୍ଟ ପରିବର୍ତ୍ତେ ଆପ୍ ଏନସିକୁ ସମର୍ଥନ ଦେବା ପରେ ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି । ଏହା ପୂର୍ବରୁ ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ପଶ୍ଚିମବଙ୍ଗର ଟିଏମସି ମଧ୍ୟ କଂଗ୍ରେସକୁ ସାମଲୋଚନା କରିଥିଲା । ଆସନ ବୁଝାମଣା ନେଇ ଆଲୋଚନା ବେଳେ କଂଗ୍ରେସ ‘ଅହଂ ଭାବ’ ଦେଖାଉଛି ବୋଲି ଟିଏମସି ଅଭିଯୋଗ କରିଥିଲା । ସେହିଭଳି ଗତବର୍ଷ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ପରାଜୟ ଲାଗି କଂଗ୍ରେସକୁ ସମାଲୋଚନା କରିଥିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।