ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣାଙ୍କ ନିଧନ

ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅନୁମତି ପରେ ଦିଲ୍ଲୀ ଏମ୍ସ (AIIMS)ଠାରେ ‘ପାସିଭ ଇଉଥାନେସିଆ’ ବା ଇଚ୍ଛାମୃତ୍ୟୁ ପ୍ରକ୍ରିୟା ମାଧ୍ୟମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତରେ ଏହା ଏକ ବିରଳ ଘଟଣା ଭାବେ ପରିଗଣିତ ହେଉଛି।ପ୍ରାୟ ୧୩ ବର୍ଷ ତଳେ ଛାତରୁ ପଡ଼ିଯିବା ଫଳରେ ହରିଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହିଦିନଠାରୁ ସେ କୋମାକୁ ଚାଲିଯାଇଥିଲେ। ପରିବାର ଲୋକେ ଦେଶର ବଡ଼ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଡାକ୍ତରମାନେ ମଧ୍ୟ ସେ ସୁସ୍ଥ ହେବାର ଆଶା ଛାଡ଼ି ଦେଇଥିଲେ।ହରିଶଙ୍କ ଚିକିତ୍ସା ପାଇଁ ମାସିକ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଦୀର୍ଘ ୧୩ ବର୍ଷ ଧରି ଏହି ଖର୍ଚ୍ଚ ବହନ କରିବା ପରେ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସେ ସୁସ୍ଥ ହେବାର କୌଣସି ସମ୍ଭାବନା ନ ଥିବାରୁ ଏବଂ କେବଳ ମେସିନ ସାହାଯ୍ୟରେ ଜୀବିତ ଥିବାରୁ, ତାଙ୍କ ପିତାମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଓ ମେଡିକାଲ ଗାଇଡଲାଇନ ଅନୁଯାୟୀ ଏମ୍ସର ପାଲିଏଟିଭ କେୟାର ବିଭାଗରେ ତାଙ୍କୁ ରଖାଯାଇଥିଲା। ପାସିଭ ଇଉଥାନେସିଆ ପ୍ରକ୍ରିୟା ଅନୁଯାୟୀ ପ୍ରଥମେ ଧୀରେ ଧୀରେ ତାଙ୍କର ପୋଷଣ (Nutrition) ବନ୍ଦ କରାଯାଇଥିଲା। ଡାକ୍ତରୀ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ପ୍ରଣାଳୀକୁ ହଟାଇ ଦିଆଯାଇଥିଲା। ଶେଷରେ ହରିଶ ଶରୀର ତ୍ୟାଗ କରିଛନ୍ତି।

Leave a Reply

Your email address will not be published. Required fields are marked *