ବୃନ୍ଦାବତୀ ନିବାସରେ ହବିଷ୍ୟାଳିଙ୍କ ଆନ୍ଦୋଳନ
ହବିଷ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଛନ୍ତି ହବିଷ୍ୟାଳି। ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି। ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ବୁଝାସୁଝା କରୁଛନ୍ତି । ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଛି। ଚଳିତଥର edistrict.odisha.gov.inରେ ହବିଷ୍ୟାଳିମାନେ ପଞ୍ଜିକରଣ କରିଥିଲେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।