ମହେଶ୍ୱରଙ୍କୁ ଗାର୍ଡ ଅଫ ଅନର

ସ୍ୱର୍ଗଦ୍ୱାରରେ ହେବ ମହେଶ୍ୱର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ଚିର ନିଦ୍ରାରେ ବିଜେଡିର ଟାଣୁଆ ନେତା ମହେଶ୍ୱର ମହାନ୍ତି। ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ରାଜନେତା। ସ୍ବର୍ଗତ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ପୁରୀରେ ମହେଶ୍ବର ମହାନ୍ତିଙ୍କ ଜନ୍ମ। ଜଣେ ରାଜନୀତି ବିଜ୍ଞାନ ଓ ଆଇନ ଛାତ୍ର ଥିଲେ ମହେଶ୍ବର। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପେଶାରେ ସେ ଥିଲେ ଜଣେ ଆଇନଜୀବୀ।

ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ। ଜଣେ ରାଜନେତା ଭାବେ କେବଳ ପୁରୀରେ ନୁହେଁ, ସାରା ରାଜ୍ୟରେ ସେ ସୁପରିଚିତ। ଛାତ୍ର ଜୀବନରୁ ରାଜନୀତି କରୁଥିବା ମହେଶ୍ବର ମହାନ୍ତି ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ପ୍ରଥମେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡିରୁ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ପୁରୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସୂଚନା ଅନୁସାରେ ହସ୍ପିଟାଲରୁ ବାହାରି ତାଙ୍କ ମରଶରୀରକୁ ପ୍ରଥମେ ଶଙ୍ଖ ଭବନ ନିଆଯାଇଛି । ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓଡିଶା ରାଜନୀତିର ବହୁ ବିଶିଷ୍ଟ ନେତା ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସେଠାରୁ ତାଙ୍କୁ ବିଧାନସଭା ଅଭିମୁଖେ ନିଆଯାଇଥିଲା । ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏବଂ ସ୍ୱର୍ଗତଃ ମହେଶ୍ୱର ମହାନ୍ତିଙ୍କ ଅନ୍ତିମ ସଂସ୍କାର ସ୍ଵର୍ଗଦ୍ଵାରରେ ହିଁ ସମ୍ପନ୍ନ ହେବ ।