ବିଷ ବଳୟରେ ରାଜଧାନୀ ଦିଲ୍ଲୀ

ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ଲାଗିଲା GRAP-4 କଟକଣା

ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ବିଷ ବଳୟରେ ପୁରା ରାଜଧାନୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଆଜି ସକାଳ ୭ରେ AQI ୪୮୧ ରେକର୍ଡ କରାଯାଇଛି। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ପରିସ୍ଥିତିକୁ ଦେଖି ଲାଗୁ ହୋଇଛି ଗ୍ରେପ୍-୪ କଟକଣା। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ମୁକାବିଲା ପାଇଁ ଆଜିଠୁ ଲାଗୁ ହୋଇଛି ଗ୍ରେପ୍-୪ କଟକଣା। ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ କରାଯାଇଛି। ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ। ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ। BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ। ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ା କରାଯାଇଛି। ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *