ପିଆଜ ଉପରେ ଲାଗିଲା ୪୦% ଶୁଳ୍କ

ପିଆଜ ଦର ନିୟନ୍ତ୍ରଣ ପାଇଁ ଚିନ୍ତାରେ ସରକାର

ଟମାଟୋ ପରେ ଏବେ ସବୁରିକୁ ଘାରିଛି ପିଆଜ ଚିନ୍ତା । ଦେଶରେ ପିଆଜ ମୂଲ୍ୟ ଗତ କିଛିଦିନ ହେଲା ବୃଦ୍ଧି ପାଉଛି । ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ମୂଲ୍ୟକୁ ‌ନିୟନ୍ତ୍ରଣ କରିବା ପାଇଁ ସରକାର ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଛନ୍ତି। ଉକ୍ତ ଶୁଳ୍କ ଲାଗୁକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଶୁଳ୍କ ଜାରି ରହିବ। ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି କରିବା ପାଇଁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏକ ବିବୃତି । କିଛିଦିନ ତଳେ କ୍ରିସିଲ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପିଆଜ ଦର ବୃଦ୍ଧି ପାଇବ ବୋଲି କୁହାଯାଇଥିଲା। ଏପରିକି ସେପ୍ଟେମ୍ବରରେ ପିଆଜ ଦର ୭୦ରୁ ୮୦ ଟଙ୍କା ଭଳି ସ୍ତର ଛୁଇଁପାରେ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଗତ ସପ୍ତାହରେ ସରକାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଫର ଷ୍ଟକରୁ ପିଆଜ କାଢ଼ିବା ପାଇଁ ଘୋଷଣା କରିଥିଲେ। ଅକ୍ଟୋବରରେ ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଇ-କମର୍ସ ଠାରୁ ଆରମ୍ଭ କରି ଇ-ନିଲାମ, ରାଜ୍ୟ ସରକାରଙ୍କ ସହ ସହଯୋଗିତା ଆଦି ମାଧ୍ୟମରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି। ମୂଲ୍ୟ ସ୍ଥିରୀକରଣ ପାଣ୍ଠି (ପିଏସଏଫ) ଯୋଜନାରେ ସରକାରଙ୍କ ନିକଟରେ ୩ ଲକ୍ଷ ଟନର ପିଆଜ ଗଚ୍ଛିତ ରହିଛି। ପିଆଜ ମୂଲ୍ୟ ଗତ କିଛିଦିନ ହେଲା ବଢ଼ିବାରେ ଲାଗିଛି। ଅଗଷ୍ଟ ୧୦ରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ସର୍ବଭାରତୀୟ ସ୍ତରରେ ହାରାହାରି ୨୭ ଟଙ୍କା ୯୦ ପଇସା ଥିଲା। ଗତବର୍ଷ ଏହି ସମୟ ତୁଳନାରେ ମୂଲ୍ୟରେ ପ୍ରାୟ ୨ ଟଙ୍କା ବୃଦ୍ଧି ଘଟିଥିଲା।