କେହି ବ୍ୟବହାର କରି ପାରିବେନି ଶ୍ରୀଜଗନ୍ନାଥଙ୍କ ଶବ୍ଦାବଳୀ
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅଟାଳିକା ଗୁଡିକର ଏକ ଉଚ୍ଚତା ନିରୂପଣ କରାଯିବ । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ର ଭୂସମ୍ପତ୍ତି ସୁରକ୍ଷାକୁ ଗୁରୁତ୍ବ । ଗତବର୍ଷ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଘଟିଥିବା ଅଘଟଣର ତଦନ୍ତ ନେଇ ତିନି ଜଣିଆ କମିଟି ଗଠନ ହୋଇଥିଲା ।ଏନେଇ ବୈଠକରେ କମିଟି ଆଜି ରିପୋର୍ଟ ପ୍ରଦାନ କରିଛି । ଚଳିତବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ। ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡିକୁ ଗୁରୁତ୍ବ ଦିଆଯିବ । ଚଳିତ ବର୍ଷ ଘୋଷଯାତ୍ରାରେ ଯଦି କୌଣସି ଅଣ ସେବାୟତ ରଥ ଉପରେ ଚଢିବେ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ମୋବାଇଲ୍ ଫୋନ୍ ବ୍ୟବହାର କରାଗଲେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏ ନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଭାବେ ରଥଯାତ୍ରା କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିବା ନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ । ଦୀଘାରେ ଜଗନ୍ନାଥ ଧାମକୁ ନେଇ ଦେଖା ଦେଇଥିବା ବିବାଦ ଉପରେ ମଧ୍ୟ ମତ ରଖିଥିଲେ ଅରବିନ୍ଦ ପାଢୀ। ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ଯାହା ବି ଶବ୍ଦାବଳୀ ରହିଛି ସେ ସବୁକୁ ପ୍ୟାଟେଣ୍ଟ କରାଯିବ। ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଧାମ, ମହାପ୍ରସାଦ, ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ ଧାମ ଓ ଶ୍ରୀଜଗନ୍ନାଥଙ୍କ ଲୋଗୋ ଭଳି ସମସ୍ତ ଶବ୍ଦକୁ ପ୍ୟାଟେଣ୍ଟ କରାଯିବ। ଫଳରେ କେହିବି ଏହାକୁ ବ୍ୟବହାର କରି ପାରିବେ ନାହିଁ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ନାଁ ନୀତିକାନ୍ତି ସହ ଜଡ଼ିତ କୌଣସି ଶବ୍ଦର ଯେପରି ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ହେବନି, ନେଇ ପ୍ୟାଟେଣ୍ଟ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ଏହା ସହିତ ପରିକ୍ରମା ପ୍ରକଳ୍ପ ସହିତ ଜଡିତ ବିଭିନ୍ନ ଅଟ୍ଟାଳିକା ଗୁଡିକର ଉଚ୍ଚତା, ଢ଼ାଞ୍ଚା ନିର୍ଦ୍ଧାରିତ ହେବ। ଏହା ମନ୍ଦିରର ସୌନ୍ଦର୍ଯ୍ୟକୁ ଅବରୋଧ କରୁଥିବାରୁ ଏହାକୁ ନିୟନ୍ତ୍ରିତ କରାଯିବ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚାରିପଟେ ଥିବା ଅଟ୍ଟାଳିକାର ଉଚ୍ଚତା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି।ରଥଯାତ୍ରା ସମୟରେ କୌଣସି ପ୍ରକାରର ଅଘଟଣକୁ ଏଡାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ। ରଥ ଉପରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯିବ ବୋଲି ଜଣାପଡିଛି।
