ବଦଳିଲା ଶାରଳା ମନ୍ଦିର ଘିଅ
ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ବଦଳିଲା ଘିଅ । ଗଚ୍ଛିତ ଘିଅକୁ ଫେରସ୍ତ କରାଯାଇଛି । ଓମ୍ଫେଡରୁ ଆସିଲା ୧୫ ଟିଣ ନୂଆ ଘିଅ । ନିମ୍ନମାନର ଘିଅ ବ୍ୟବହାର ବାବଦରେ ବଡ଼ପଣ୍ଡାଙ୍କ ଅଭିଯୋଗ ପରେ ଶୁକ୍ରବାର ଫୁଡ଼ ଇନ୍ସପେକ୍ଟର ମନ୍ଦିର ଭଣ୍ଡାର ଘର ଯାଞ୍ଚ କରିଥିଲେ । ସେଠାରୁ ଘିଅ ସାମ୍ପଲ ସଂଗ୍ରହ କରି ମାନ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରୁ ଏନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ଆଣିଥିଲେ ଖୋଦ୍ ମନ୍ଦିରର ବଡ଼ପଣ୍ଡା । ପ୍ରସିଦ୍ଧ ଶାରଳା ମନ୍ଦିରରେ ରୋଷେଇ ତଥା ବିଭିନ୍ନ ପିଠା ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବା ସହ ଏହା ନିମ୍ନମାନର ବୋଲି ବଡ଼ପଣ୍ଡା ଅଭିଯୋଗ କରିଥିଲେ । ସେହିପରି ଭଣ୍ଡାର ଦାୟିତ୍ବରେ ଥିବା ସେବକ ମଧ୍ୟ ଘିଅର ମାନକୁ ନେଇ ଆପତ୍ତି ଉଠାଇଥିଲେ ।