ସଡ଼କ ସୁରକ୍ଷାକୁ ଉନ୍ନତ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ଦୁଇଚକିଆ ଯାନରେ ଲାଗିବ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ

ସଡ଼କ ସୁରକ୍ଷାକୁ ଉନ୍ନତ କରିବାକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।  ଦେଶରେ ବିକ୍ରି ହେଉଥିବା ସମସ୍ତ ନୂତନ ଦୁଇଚକିଆ ଯାନରେ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ବା ABS ଉପଲବ୍ଧ ହେବ ।  ୨୦୨୬ ଜାନୁଆରୀ ଠାରୁ ଏହି ବ୍ୟବସ୍ଥା ଲାଗୁ କରାଯିବ।  ଦୁଇ ଚକିଆ ଯାନର ସମସ୍ତ କମ୍ପାନୀକୁ ଏହା ବାଧ୍ୟତାମୂଳକ କରାଯାଇଛି ।  ସେମାନଙ୍କ ଇଞ୍ଜିନ ସକ୍ଷମ ହେଉ କି ନହେଉ ଏହି ବ୍ୟବସ୍ଥା କରିବାକୁ ସବୁ ଟୁହ୍ବିଲର କମ୍ପାନୀ ବାଧ୍ୟ । କେବଳ ଏତିକି ନୁହେଁ, ଟୁହ୍ବିଲର୍ ବିକ୍ରି ସମୟରେ ଡିଲରମାନେ ଦୁଇଟି ହେଲମେଟ ଯୋଗାଇବାକୁ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି ସରକାର ।  ଦୁଇଚକିଆ ଯାନ ଦୁର୍ଘଟଣାରେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।  ତେବେ କଣ ଏହି ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ବା ABS? ଟୁହ୍ବିଲର ପାଇଁ ଏହା ଏକ ଅତ୍ୟାବଶ୍ୟକ ସୁରକ୍ଷା ପ୍ରଦାନକାରୀ । ହଠାତ୍ କିମ୍ବା ଜୋରଦାର ବ୍ରେକିଂ ସମୟରେ ଚକ ଲକ୍-ଅପ୍ ବନ୍ଦ କରିଦିଏ ।  ବ୍ରେକ୍ ଚାପକୁ ନିୟନ୍ତ୍ରଣ କରି, ABS ଆରୋହୀମାନଙ୍କୁ ନିୟନ୍ତ୍ରଣ ବଜାୟ ରଖିବାକୁ ଅନୁମତି ଦିଏ ।  ବିଶେଷକରି ଜରୁରୀ ପରିସ୍ଥିତିରେ କିମ୍ବା ଓଦା ରାସ୍ତାରେ ବାଇକ ଆରୋହୀଙ୍କ କଂଣ୍ଟ୍ରୋଲ ହରାଇବା ସମ୍ଭାବନାକୁ ବହୁ ପରିମାଣରେ ହ୍ରାସ କରେ ।  ଯାହା ଦୁର୍ଘଟଣା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ।

ସରକାରୀ ରିପୋର୍ଟ ଅନୁଯାୟୀ, ବହୁ ଟୁହ୍ବିଲର ଦୁର୍ଘଟଣା ବ୍ରେକ୍ ଫେଲ୍ କିମ୍ବା ସ୍କିଡିଂ ଯୋଗୁଁ ହୋଇଥାଏ ।  ତେଣୁ ABS ଏବଂ ହେଲମେଟ୍ ଉଭୟ ବିପଦକୁ ବହୁ ପରିମାଣରେ ହ୍ରାସ କରିପାରିବେ ।   ଏପର୍ଯ୍ୟନ୍ତ ଏହି ନିୟମ କେବଳ ୧୫୦ସିସିରୁ ଅଧିକ ଟୁହ୍ବିଲର ଉପରେ ଲାଗୁ ହେଉଥିଲା, କିନ୍ତୁ ୨୦୨୬ରୁ ଏହା ପ୍ରତ୍ୟେକ ବାଇକ୍ ଏବଂ ସ୍କୁଟରରେ ଲାଗୁ ହେବ ।