ମହଙ୍ଗା ହେବ ସରକାରୀ-ନିୟନ୍ତ୍ରିତ କର୍କଟ, ହୃଦଘାତ, ମଧୁମେହ ଔଷଧ!
କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି।ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ (AIOCD)ର ମହାସଚିବ ରାଜୀବ ସିଂଘଲ କହିଛନ୍ତି ଯେ ଏହି ପଦକ୍ଷେପ ଔଷଧ ଶିଳ୍ପକୁ ଆଶ୍ୱସ୍ତି ପ୍ରଦାନ କରିବ କାରଣ କଞ୍ଚାମାଲର ମୂଲ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ପାଉଛି। ଦୁଇରୁ ତିନି ମାସ ମଧ୍ୟରେ ଏହି ଔଷଧର ମୂଲ୍ୟ ବଢ଼ିପାରେ। କାରଣ ବଜାରରେ ପ୍ରାୟ ୯୦ ଦିନର ବିକ୍ରୟଯୋଗ୍ୟ ଔଷଧ ରହିଛି। ରିପୋର୍ଟ ଅନୁଯାୟୀ, ରାସାୟନିକ ଏବଂ ସାର ଉପରେ ସଂସଦୀୟ ସ୍ଥାୟୀ କମିଟି ଅଧ୍ୟୟନରୁ ଜଣାପଡିଛି ଯେ ଔଷଧ କମ୍ପାନୀଗୁଡ଼ିକ ଅନୁମୋଦିତ ମୂଲ୍ୟ ବୃଦ୍ଧି ଅତିକ୍ରମ କରି ଔଷଧ ମୂଲ୍ୟ ନିର୍ଦ୍ଧାରଣ ନିୟମାବଳୀକୁ ବାରମ୍ବାର ଉଲ୍ଲଂଘନ କରୁଛନ୍ତି। ଔଷଧର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଭାରତର ନିୟାମକ ସଂସ୍ଥା ଜାତୀୟ ଔଷଧ ମୂଲ୍ୟ ପ୍ରାଧିକରଣ (NPPA) ଫାର୍ମା କମ୍ପାନୀଗୁଡ଼ିକ ଦ୍ୱାରା ୩୦୭ଟି ଉଲ୍ଲଂଘନ ହୋଇଥିବାର ଘଟଣା ପାଇଛି।
