କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଗଣେଶ୍ୱର ବେହେରା

ଶଙ୍ଖ ଧରିଲେ ଗଣେଶ୍ୱର ବେହେରା

ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା। ଆଜି ସେ ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଛନ୍ତି। ତାଙ୍କର ଅନେକ ସମର୍ଥକ ମଧ୍ୟ ଶଙ୍ଖ ଧରିଛନ୍ତି। ୪ ଦିନ ତଳେ କଂଗ୍ରେସ ଛାଡ଼ିଥିଲେ ଗଣେଶ୍ୱର। ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ଜଣେ ବିଜ୍ଞ, ତୃଣମୂଳ ସ୍ତରର ଟାଣୁଆ ନେତା ଭାବେ ସେ ଜଣାଶୁଣା ଥିଲେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆସନରୁ ସେ ୧୯୮୫ ଓ ୧୯୯୫ ରେ ବିଧାୟକ ହୋଇଥିଲେ। କିନ୍ତୁ ତା ପରଠୁ ସେ ବିଧାନସଭାକୁ ଆସିପାରି ନାହାନ୍ତି। ୨୦୧୯ରେ କଂଗ୍ରେସରୁ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ ହୋଇଥିଲେ ଶଶି ବେହେରାଙ୍କ ଠାରୁ କମ ବ୍ୟବଧାନରେ ପରାଜିତ ହୋଇଥିଲେ । ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ। ଏହାପରେ ୧୯୯୦ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ। ହେଲେ ୧୯୯୫ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର। ରାଜ୍ୟ କଂଗ୍ରେସର ବହୁ ପଦ ପଦବୀରେ ରହିଥିଲେ ଗଣେଶ୍ୱର। ତେବେ ତାଙ୍କୁ ବିଜେଡିରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।