ବିରାଜିଛନ୍ତି ବିଘ୍ନ ହରତା, ଗଜାନନଙ୍କ ମନ୍ତ୍ରଧ୍ବନୀରେ ଗୁଞ୍ଜରିତ ଚତୁର୍ଦିଗ
ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ..
ନିର୍ବିଘ୍ନଂ କୁରୁମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା…
ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ ବା ଗଣେଶ ପୂଜା । ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ, ଆଦିଦେବ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା କରାଯାଏ ।
ପୂରାଣ ବର୍ଣ୍ଣିତ ତଥ୍ୟ
ପୂରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ମାତା ପାର୍ବତୀ ସ୍ନାନ କରୁଥିବା ସମୟରେ ଦେହର ମଳିରୁ ଏକ ମୂର୍ତ୍ତି ନିର୍ମାଣ କରିଥିଲେ । ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ମୂର୍ତ୍ତିଟିକୁ ଜୀବନ ଦାନ ଦେଇଥିଲେ । ଆଉ ସେଥିରୁ ଆବିର୍ଭାବ ହୋଇଥିଲେ ଶ୍ରୀ ଗଣେଶ । ଏକାଦା ମାତା ପାର୍ବତୀ ତପସ୍ୟାରତ ଥିବା ବେଳେ ଶ୍ରୀ ଗଣେଶଙ୍କୁ ଦ୍ବାର ଜଗିବାକୁ କହିଥିଲେ । ମାତା ପାର୍ବତୀ ତପସ୍ୟା କରୁଥିବା ଗୁମ୍ଫା ମଧ୍ୟକୁ କାହାକୁ ପ୍ରବେଶ କରେଇ ନଦେବାକୁ ଗଣେଶଙ୍କୁ ଆଦେଶ ଦେଇଥିଲେ । ଆଉ ମାଆଙ୍କ ଆଦେଶ ପାଳନ କରିଥିଲେ ପୁତ୍ର ବିଘ୍ନେଶ । ଏହି ସମୟରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କୁ ଦେଖା କରିବାକୁ ଗୁମ୍ଫା ନିକ଼ଟକୁ ଆସିଥିଲେ । ମାତ୍ର ମାଆଙ୍କ ଆଦେଶ ପାଳନ କରି ମହାଦେବଙ୍କୁ ଗୁମ୍ଫା ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ଗଜାନନ ।
ଗଣେଶ, ମହାଦେବଙ୍କୁ ଚିହ୍ନି ନପାରି ତାଙ୍କ ପଥ ଅବରୋଧ କରିଥିଲେ । ଏହାପରେ ଶିବ ଓ ବିଘ୍ନେଶଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ମହାଦେବ କ୍ଷୁବ୍ଧ ହୋଇ ବିଗ୍ନେଶଙ୍କ ମସ୍ତକ ଚ୍ଛେଦନ କରିଥିଲେ । ଏକଥା ଜାଣିବା ପରେ ମାତା ପାର୍ବତୀ ଅଧୀର ହୋଇ ପଡିଥିଲେ । ପାର୍ବତୀ କ୍ରୋଧିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ ।
ମାତା ପାର୍ବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୃଷ୍ଟିକର୍ତ୍ତା ବ୍ରହ୍ମା । ସୃଷ୍ଟିକର୍ତ୍ତାଙ୍କ ସମ୍ମୁଖରେ ପାର୍ବତୀ 2ଟି ସର୍ତ୍ତ ରଖିଥିଲେ । ପ୍ରଥମେ ବିଘ୍ନେଶଙ୍କୁ ଜୀବନ ଦାନ ଦିଆଯିବ ଓ ଅନ୍ୟଟି ବିଘ୍ନେଶ ଅଗ୍ରପୂଜ୍ୟ ହେବେ । ଏଥିରେ ବ୍ରହ୍ମାଦେବ ରାଜି ହୋଇଥିଲେ । ଶିବ ତାଙ୍କ ଅନୁଚରଣଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ, ତାର ଶିର ଛେଦନ କରି ନେଇ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ । ବିଘ୍ନେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ପୁନଃ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହାପରେ ସେ ଗଜାନନ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ । ସେହି ଦିନଠାରୁ ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ହିନ୍ଦୁ ଧର୍ମରେ ଗଣେଶ ପୂଜା ଭାବରେ ପାଳନ କରାଯାଏ ।
