ଅଦିନିଆ ରଥଯାତ୍ରା: ‘ବହୁତ୍ ହେଲା, ଆଉ ଛଡ଼ାଯିବନି’
ଅଦିନିଆ ରଥଯାତ୍ରା ନେଇ ଆପତ୍ତି ଉଠାଇଲେ ଗଜପତି ମହାରାଜା। ଇସ୍କନଙ୍କୁ ଦେଇଛନ୍ତି କଡ଼ା ଚେତାବନୀ। କହିଲେ, ବହୁତ ହୋଇଗଲା, ଆଉ ଛଡ଼ାଯିବନି । ମାର୍ଚ୍ଚ ପର୍ୟ୍ୟନ୍ତ ଇସ୍କନକୁ ସମୟ ଦେଇଛନ୍ତି ଗଜପତି । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି, ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ଧର୍ମରେ ହୋଇଥିଲେ ଏହାକୁ ସହ୍ୟ କରିନଥାନ୍ତେ । ମାର୍ଚ୍ଚ ମାସ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ଆମେ ଚାହୁଁଛୁ ଆଲୋଚନା ଦ୍ବାରା ସମାଧାନ ହେଉ। ଯଦି ମାନିବେନି ଆମ ପାଖରେ ଆଇନର ରାସ୍ତା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା ବୋଲି କହିଛନ୍ତି ଗଜପତି। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ୧୯୬୯ରୁ ଇସ୍କନ ଅଦିନରେ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଅଦିନ ରଥଯାତ୍ରା କରୁଛି ଇସ୍କନ। ତେବେ ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ଆଶା ଥିବା କହିଛନ୍ତି ଗଜପତି ମହାରାଜା ।
