ଡିସେମ୍ବରରେ ଗଗନ ଯାନର ପ୍ରଥମ ପରୀକ୍ଷଣ: ଇସ୍ରୋ ଅଧ୍ୟକ୍ଷ
ଚଳିତ ବର୍ଷ ଡିସେମ୍ବରରେ ଭାରତ ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ କରିବ ବୋଲି ଇସ୍ରୋର ଅଧ୍ୟକ୍ଷ ଭି. ନାରାୟଣନ୍ କହିଛନ୍ତି । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ଶ୍ରୀ ନାରାୟଣ କହିଛନ୍ତି, ଗଗନଯାନ ଅଭିଯାନ ତ୍ୱରାନ୍ୱିତ ହେଉଛି । ଏହାର ୮୦ ପ୍ରତିଶତ ପରୀକ୍ଷଣ ଇତିମଧ୍ୟରେ ସମ୍ପନ୍ନ ହୋଇସାରିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ବାକି ପରୀକ୍ଷଣ ଗୁଡ଼ିକ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି ।ଇସ୍ରୋର ଅନ୍ୟାନ୍ୟ ସଫଳତା ଉପରେ ଆଲୋକପାତ କରି ଶ୍ରୀ ନାରାୟଣନ୍ କହିଛନ୍ତି, ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୯୬ଟି ସଫଳତା ହାସଲ କରାଯାଇଛି । ଆମେରିକାର ୬ ହଜାର ୫୦୦ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଯୋଗଯୋଗ ଉପଗ୍ରହ ଭାରତୀୟ ଲଞ୍ଚ୍ ପ୍ୟାଡ୍ରେ ଉତ୍କ୍ଷେପଣ କରାଯିବ । ଏ ପର୍ଯ୍ୟନ୍ତ ଆଦିତ୍ୟ ଏଲ୍.ୱାନ୍ର ୧୩ ଟେରାବିଟ୍ ତଥ୍ୟ ଗବେଷଣା ପାଇଁ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।ଏକ୍ସିଓମ୍-ଫୋର୍ ମିଶନ୍ ଉପରେ ଆଲୋକପାତ କରି ସେ କହିଛନ୍ତି, ମିଶନ୍ର ସୁରକ୍ଷିତ ଉତ୍କ୍ଷେପଣକୁ ସୁନିଶ୍ଚିତ କରିବାରେ ଇସ୍ରୋର ବୈଷୟିକ ବିଶେଷଜ୍ଞତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଫାଲକନ୍-ନାଇନ୍ ରକେଟ୍ରେ ପ୍ରଥମ ପର୍ଯ୍ୟାୟରେ ଦେଖାଦେଇଥିବା ଏଲ୍.ଓ.ଏକ୍ସ. ଲିକେଜ୍କୁ ଇସ୍ରୋ ସଂଶୋଧନ କରିଥିଲା ବୋଲି ଶ୍ରୀ ନାରାୟଣନ୍ କହିଛନ୍ତି ।
