ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିପରିଷଦର ଖୋଲିଲା ଚାରି ଦ୍ଵାର

ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ଵାର

ସବୁ ପ୍ରତିକ୍ଷାର ଘଟିଲା ଅନ୍ତ, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଲା ଦ୍ବାର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ସକାଳ ମଙ୍ଗଳ ଆଳତି ସମୟରେ ୪ ଦ୍ବାର ଖୋଲିଲା । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି, ମହାପ୍ରଭୁଙ୍କ ଇଚ୍ଛାରେ ସବୁକିଛି ହୁଏଟ୍ଟ ଆଗାମୀ ଦିନରେ ଶୃଙ୍ଖଳିତ ଦର୍ଶନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଶ୍ରୀମନ୍ଦିରର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରିଛୁ । ଶ୍ରଦ୍ଧାଳୁଙ୍କ ଅସୁବିଧା ନହେବାକୁ ପଦକ୍ଷେପ ନିଆଗଲା । ଏଥିସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ହୋଇଛି । ନୀତିକାନ୍ତିରେ କେମିତି ବାଧା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଧୀରେଧୀରେ ଅନ୍ୟାନ୍ୟ ସମସ୍ୟାର ବି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ତୀକ୍ଷ୍ଣ ନଜର ଥିବା କହିଛନ୍ତି ।