ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ମିଶ୍ରଙ୍କ ପରଲୋକ

ଜନ୍ମଦିନରେ ଚିରନିଦ୍ରାରେ ଶୋଇଗଲେ ରବୀନ୍ଦ୍ର ନାରାୟଣ ମିଶ୍ର

ନିଜ ଜନ୍ମଦିନରେ ଚିରନିଦ୍ରାରେ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ର । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୮୭ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ସଂଯୋଗବଶତଃ, ନିଜ ଜନ୍ମଦିବସରେ ହିଁ ଆରପାରିକୁ ବାହୁଡ଼ି ଯାଇଛନ୍ତି ଶ୍ରୀ ମିଶ୍ର। ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ‘ଆକାଶ ଦୀପ’ର ବିଶିଷ୍ଟ କଥାକାର ତଥା ଲୋକପ୍ରିୟ ସ୍ତମ୍ଭ ‘କଥାଟିଏ କହୁଁ’ର ଲେଖକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗରେ ରାଜ୍ୟର ଧର୍ମ-ସଂସ୍କୃତି ପରିସରରେ ଶୋକ ଛାୟା ଖେଳିଯାଇଛି। ଶ୍ରୀମନ୍ଦିରର ପ୍ରାକ୍ତନ ପ୍ରଶାସକ ରହିଥିବା ଶ୍ରୀ ମିଶ୍ରଙ୍କର ମହାପ୍ରଭୁଙ୍କ ନୀତିକାନ୍ତି ଓ ମନ୍ଦିରରେ ପ୍ରଚଳିତ ପ୍ରଥାପରମ୍ପରା ଉପରେ ଅଗାଧ ଜ୍ଞାନ ଥିଲା। ସେ ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କର ଅନନ୍ୟ ଅନୁଭୂତି ଓ ସେବାର୍ଜିତ ଅଭିଜ୍ଞତା ଆଧାରିତ ବହୁ ରଚନା ପ୍ରସ୍ତୁତ କରିଛନ୍ତି।  ମହାପ୍ରଭୁଙ୍କ ରଘୁନାଥ ବେଶ ଦେଖିବା ପାଇଁ ସ୍ବର୍ଗତ ମିଶ୍ର ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ଶ୍ରୀ ମିଶ୍ରଙ୍କ ଘର ଜଟଣୀ ନିକଟସ୍ଥ କୁଦିଆରୀ ଗ୍ରାମରେ ଓ ସେ କୁଦିଆରୀ ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ। ଅବସର ପରେ ସେ ଭୁବନେଶ୍ବରର ଭିଏସ୍‌ଏସ୍‌ ନଗରରେ ରହୁଥିଲେ।