ପରଲୋକରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ
ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ରାତି ୧୨ଟା ୪୪ ମିନିଟରେ ୮୭ ବର୍ଷ ବୟସରେ ପରଲୋକ ହୋଇଛି। ଖଲ୍ଲିକୋଟ ଓ କବିସୂର୍ୟ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି ସୁଜ୍ଞାନ କୁମାରୀ। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ୟ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି । ଭି.ସୁଜ୍ଞାନ କୁମାରୀ ଦେଓ ବିଧାୟିକା ସହ ଜଣେ ସମାଜସେବୀ, କୃଷିଜୀବି ଭାବେ ପରିଚୟ ସୃଷ୍ଟି କରିଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ କୁମାରୀ। ବାପାଙ୍କ ନାମ ରାଜା ଆର.ଭି.ଏମ୍ ନିଳାଦ୍ରୀ ଦେଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ। ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଛନ୍ତି ସୁଜ୍ଞାନୀ। ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ୟ୍ୟନ୍ତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ବିଧାୟିକା ବନିଥିଲେ। ଦ୍ୱିତୀୟ ଥର ପାଇଁ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ୟ୍ୟନ୍ତ ବନିଥିଲେ ବିଧାୟିକା। ତୃତୀୟ ଥର ପାଇଁ ଜନତା ଟିକଟରେ ବିଜୟ ଲାଭ କରି ୧୯୭୭-୧୯୮୦ ପର୍ୟ୍ୟନ୍ତ ଖଲ୍ଲିକୋଟର ବିଧାୟିକା ହୋଇଥିଲେ ସୁଜ୍ଞାନ। ଏହାପରେ ଜନତା ପାର୍ଟିରୁ ୧୯୮୫-୧୯୯୦ ଯାଏଁ ଚତୁର୍ଥ ଥର ପାଇଁ ବନିଥିଲେ ବିଧାୟିକା। ସେ ୧୯୯୦-୯୫ ପର୍ୟ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋଟରୁ ପଞ୍ଚମ ଥର ଲାଗି ନିର୍ବାଚିତ ହୋଇଥିଲେ ସୁଜ୍ଞାନ । ସେ ୧୯୯୫-୨୦୦୦ ପର୍ୟ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ। କବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୁଜ୍ଞାନ। ଏହାସହ ସେ ବିଧାନସଭାର ବିଭିନ୍ନ କମିଟିରେ ସଦସ୍ୟ ରହିଆସିଥିଲେ। କିନ୍ତୁ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ।