୧୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ବ୍ରହ୍ମପୁର ଏଡିଜେ-୩ କୋର୍ଟ
ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ। ୧୯୯୮ ମସିହାରେ ପୁଲିସ୍ ଆର୍ଆଇ (ରିଜର୍ଭ ଇନ୍ସପେକ୍ଟର) ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣ ରେଡ୍ଡୀଙ୍କ ସହ ମୋଟ ୧୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି।
ବ୍ରହ୍ମପୁରରେ ଟାଟା ଜମି ଅଧିଗ୍ରହଣ ସମୟରେ ସଂଘର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ମାମଲାରେ ଏହି ଦଣ୍ଡାଦେଶ ହୋଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ-୩ କୋର୍ଟ ବିଚାରପତି ଏହି ଦଣ୍ଡ ଶୁଣାଇଛନ୍ତି । ୧୯୯୮ ଜୁନ ୧୮ ତାରିଖରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ସଂଘର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା ।
ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ତଥ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନ୍ ଆଧାରରେ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିବା ଦେଖିବାକୁ ମିଳିଛି ।