ପ୍ରଦୀପ କୁମାର ଜେନା ଭୁବନେଶ୍ୱର କ୍ଲବର ନୂତନ ସଭାପତି
ପୂର୍ବତନ ଓଡ଼ିଶାର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଭୁବନେଶ୍ୱର କ୍ଲବର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଭୋଟ ଗଣତି ପରେ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା । ପ୍ରଦୀପ କୁମାର ଜେନା ୧୮ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି।ସେହିପରି, ପ୍ରଗତି ମହାନ୍ତି ୬୦ ଭୋଟ ବ୍ୟବଧାନରେ ଉପାଧ୍ୟକ୍ଷ ଭାବରେ ବିଜୟୀ ହୋଇଛନ୍ତି । ସେହିପରି ଲଳିତ ଦାସ ୭୬ ଭୋଟ ବ୍ୟବଧାନରେ ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି । ସମ୍ବିତ ମହାନ୍ତି ୬୮ ଭୋଟ ବ୍ୟବଧାନରେ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ଥିଲା । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଥିଲେ । ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିଥାନ୍ତେ ।ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଥିଲେ । ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲା । ରବିବାର ବାଲାଟ୍ ଉପରେ ଭୋଟ୍ ଦାନ ଚାଲିଥିଲା । ଯେଉଁ କ୍ଲବ ମେମ୍ବରମାନେ ଭୋଟ ଦାନ ପାଇଁ କ୍ଲବକୁ ଆସିପାରିନାହାନ୍ତି ସେମାନେ ଇ – ଭୋଟିଙ୍ଗ ମାଧ୍ୟମରେ ଭୋଟ ଦେଇଥିଲେ । ଇ- ଭୋଟିଙ୍ଗରେ ପାଖାପାଖି ୫୦୦ ଭୋଟ ହୋଇଛି ।
