ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ଓ ଭୂସ୍ଖଳନ: ୧୯ ମୃତ
ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭୂସ୍ଖଳନ, ଆକସ୍ମିକ ବନ୍ୟା ଏବଂ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ୩ ଦିନ ମଧ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ବର୍ଷା ବିପର୍ଯ୍ୟୟରେ ୧୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମିଜୋରାମ, ଆସାମ, ମଣିପୁର, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଶତାଧିକ ସ୍ଥାନରେ ରାସ୍ତା ଧୋଇଯାଇଥିବା ବେଳେ ଅନେକ ଘର ଭାଙ୍ଗିଯାଇଛି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲଗାଣ ବର୍ଷା ଓ ଭିତ୍ତିଭୂମି କ୍ଷୟକ୍ଷତି ଯୋଗୁଁ ଏଥିରେ ବାଧା ସୃଷ୍ଟି ହୋଇଛି।
ଆଗାମୀ ଦିନରେ ପ୍ରବଳ ବର୍ଷା ହେବା ଆଶଙ୍କା କରି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଉତ୍ତର-ପୂର୍ବର କେତେକ ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ବିଳମ୍ବିତ ରାତିରେ ଦକ୍ଷିଣ ମିଜୋରାମର ଲାଙ୍ଗଟ୍ଲାଇ ସହରରେ ୩ଟି କୋଠା ଭୁଶୁଡ଼ି ପଡ଼ିବାରୁ ଅତି କମ୍ରେ ୮ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ଡେପୁଟି କମିସନରଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ୫ ଜଣ ଗୁରୁତର ଆହତଙ୍କୁ ଭଗ୍ନାବଶେଷ ଭିତରୁ ଉଦ୍ଧାର କରାଯାଇଛି। ଭାରତୀୟ ରିଜର୍ଭ ପୁଲିସର ତୃତୀୟ ବାଟାଲିୟନ ଆଜି ଲଙ୍ଗଟ୍ଲାଇ ନିକଟସ୍ଥ ଥିଙ୍ଗକାହ ଗ୍ରାମରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ମ୍ୟାମାର ଶରଣାର୍ଥୀଙ୍କୁ ଆଶ୍ରୟ ଦେଉଥିବା ଏକ ହୋଟେଲ ଭୁଶୁଡ଼ି ପଡ଼ିବାରୁ ଅନେକ ଆହତ ହୋଇଛନ୍ତି। ଭୂସ୍ଖଳନ ଯୋଗୁଁ ୫୪ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିବାରୁ ମିଜୋରାମର ଦକ୍ଷିଣ ଜିଲ୍ଲା ସିଆହାରୁ ଲଙ୍ଗଟ୍ଲାଇ ବିଚ୍ଛିନ୍ନ ହୋଇଯାଇଛି।
