କିସ୍ତୱାଡ଼ରେ ବାଦଲଫଟା ବର୍ଷା, ବଢୁଛି ମୃତକଙ୍କ ସଂଖ୍ଯା

କିସ୍ତୱାଡ଼ରେ ବାଦଲଫଟା ବର୍ଷା ପରେ ବନ୍ୟା: ୪୬ ମୃତ, ୨୦୦ରୁ ଅଧିକ ନିଖୋଜ

ଜମ୍ମୁକାଶ୍ମୀର କିସ୍ତୱାଡ଼ ଜିଲ୍ଲାରେ ବାଦଲଫଟା ବର୍ଷା ଫଳରେ ଅଚାନକ ବନ୍ୟା ଆସି ବ୍ୟାପକ ଧନଜୀବନ ହାନି ହୋଇଛି। ଏହି ବିପର୍ଯ୍ୟୟରେ ୨ ଜଣ ସିଆଇଏସ୍‌ଏଫ୍‌ ଯବାନଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ୧୨୦ ଜଣ ଗୁରୁତର ଆହତ ହୋଇଛନ୍ତି। କିସ୍ତୱାଡ଼ର ଚସୋତି ଗ୍ରାମରେ ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ୯୫୦୦ ଫୁଟ ଉଚ୍ଚତାରେ ଥିବା ମଚେଲ ମାତା ମନ୍ଦିରକୁ ଯାଇଥିବା ରାସ୍ତାର ‌ଶେଷ ‘ମୋଟ‌ରେବଲ୍‌ ପଏଣ୍ଟ୍‌’ ତଥା ଯାନବାହନ ଯାଇପାରୁଥିବା ଶେଷ ସଡ଼କ ପଥରେ ମଧ୍ୟାହ୍ନ ୧୨ଟାରୁ ଗୋଟାଏ ମଧ୍ୟରେ ଆସିଥିବା ଏହି ବିପର୍ଯ୍ୟୟ ଆତଙ୍କ ଖେଳାଇ ଦେଇଛି। ବାର୍ଷିକ ମଚେଲ ମାତା ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଚସୋତି ଗ୍ରାମରେ ଏକଜୁଟ୍‌ ହୋଇଥିଲେ। ଏହି ଗ୍ରାମଠାରୁ ୮.୫ କିମି ବାଟ ଚାଲିଚାଲି ଗଲେ ମ‌ଚେଲ ମାତା ମନ୍ଦିର ପଡ଼ିବ। ବାଦଲଫଟା ବର୍ଷା ଓ ଅଚାନକ ବନ୍ୟା ଆସିବା ପ‌ରେ ବାର୍ଷିକ ଯାତ୍ରା ବନ୍ଦ ରହିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାରୁ ଅନେକ ଜୀବନ ରକ୍ଷା ପାଇଯାଇଛି। ଏଯାବତ ୯୮ ଜଣଙ୍କୁ ଉଦ୍ଧା‌ର କରାଯାଇଛି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଏହି ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଡେପୁଟି କମିସନର ପଙ୍କଜ କୁମାର ଶର୍ମା କହିଛନ୍ତି।ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ଅଛନ୍ତି। ସେମାନେ ମଚେଲ ମାତା ମନ୍ଦିରକୁ ଟ୍ରେକିଂ କରୁଥିବା ବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ଯେଉଁଭଳି କ୍ଷତି ହୋଇଛି ସେଥିପାଇଁ ଉଦ୍ଧାର, ରିଲିଫ୍‌ ଏବଂ ସ୍ଥିତି ସୁଧୁରିବା ପାଇଁ ପ୍ରାୟ ୨୦ ଦିନ ଲାଗିଯିବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି।  ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌, ପୁଲିସ, ସେନା, ଏସ୍‌ଡିଆରଏଫ୍‌ ମୁତୟନ ହୋଇଛନ୍ତି।